କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ କାରଣକୁ ନେଇ ବାହାଘର ଭାଙ୍ଗିଯାଇଛି, ତାହା ଜାଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ବରପକ୍ଷର ଜଣେ କେହି ବ୍ୟକ୍ତି କନ୍ୟାଙ୍କ ପାଳିତ କୁକୁରକୁ ବାଡ଼େଇବାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଭୀଷଣ ଗଣ୍ଡଗୋଳ ହେବା ସହିତ ଶେଷରେ ବାହାଘର ଭାଙ୍ଗିଯାଇଥିବା ଜଣାପଡ଼ିଛି। ଏଭଳି ଘଟଣା ଉତ୍ତରପ୍ରଦେଶର ଫତେପୁର ଜିଲାରେ ଘଟିଛି। ବର ଓ କନ୍ୟାଙ୍କ ମଧ୍ୟରେ ପୂର୍ବରୁ ସମ୍ପର୍କ ରହିଥିଲାବେଳେ ସେମାନେ ଆର୍ଯ୍ୟସମାଜ ରୀତିନୀତି ଅନୁସାରେ ବିବାହ କରିସାରିଥିଲେ। କିନ୍ତୁ ସାମାଜିକ ସ୍ବୀକୃତି ପାଇଁ ଉଭୟ ପାରମ୍ପରିକ ରୀତିରେ ବିବାହ ପାଇଁ ନିଷ୍ପତ୍ତି ନେବା ପରେ ଗତ ବୁଧବାର ରାତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ବରପକ୍ଷ ରୋଷଣୀ କରି ବିବାହ ମଣ୍ଡପରେ ପହଞ୍ଚିବାପରେ ମାଳା ପିନ୍ଧା କାର୍ଯ୍ୟ ଶେଷ ହୋଇଥିଲା। ବିଳମ୍ବିତ ରାତିରେ ସ୍ଥାନୀୟ ପରମ୍ପରା ଅନୁଯାୟୀ ଉଭୟଙ୍କୁ ଗହଣା ପିନ୍ଧାଯାଇ ବେଦୀରେ କର୍ମ ହେବାକୁ ଯାଉଥିଲା ବେଳେ କନ୍ୟାଙ୍କ କୁକୁର ଜୋର୍‌ରେ ଭୋକିବାକୁ ଲାଗିଥିଲା। ଏହାକୁ ଦେଖି ବରପକ୍ଷର କେତେକ ଲୋକ କୁକୁରଟିକୁ ବାଡ଼େଇଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯିବା ସହିତ ମାରପିଟ୍‌ ମଧ୍ୟ ହୋଇଥିଲା। କନ୍ୟାପକ୍ଷ ମାଡ଼ରେ ବରପକ୍ଷର ୩ ଜଣ ଲହୁଲୁହାଣ ହେବା ପରେ ବିବାହ ଭାଙ୍ଗିଯାଇଥିଲା ଏବଂ ବର ବେଦୀରୁ ଉଠି ପଳାଇଥିଲେ।

 

Dharitri – Odisha’s No.1 Odia Daily