PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ ସିଜିନରେ ହିଁ ତାଙ୍କୁ ଏକ ଦଳର ନେତୃତ୍ୱ ମିଳିଛି। ପିଏସଏଲ୍‌ର ନୂତନ ଦଳ ‘ହାଇଦ୍ରାବାଦ କିଙ୍ଗ୍ସମ୍ୟାନ’ ଲାବୁସେନଙ୍କୁ ନିଜର ଅଧିନାୟକ ଭାବେ ନିଯୁକ୍ତ କରିଛି। ମଙ୍ଗଳବାର ଅପରାହ୍ନରେ ଫ୍ରାଞ୍ଚାଇଜ ପକ୍ଷରୁ ଏହି ବଡ଼ ଘୋଷଣା କରାଯାଇଛି।
ମାର୍ନସ ଲାବୁସେନ ଟେଷ୍ଟ ଏବଂ ଦିନିକିଆ କ୍ରିକେଟର ଜଣେ ଦକ୍ଷ ଖେଳାଳି ହୋଇଥିଲେ ମଧ୍ୟ ଟି-୨୦ ଫର୍ମାଟରେ ତାଙ୍କର ସେଭଳି ବଡ଼ ନାମ ନାହିଁ। ସେ ଏପର୍ଯ୍ୟନ୍ତ ମୋଟ ୫୫ଟି ଟି-୨୦ ମ୍ୟାଚ୍‌ ଖେଳି ୨୬.୫ ହାରରେ ୧୩୮୧ ରନ୍‌ କରିଛନ୍ତି। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌(୧୨୬.୫) ମଧ୍ୟ ଏହି ଫର୍ମାଟ ଅନୁଯାୟୀ ସାଧାରଣ ରହିଛି।
ଫ୍ରାଞ୍ଚାଇଜ କ୍ରିକେଟରେ ସେ କେବଳ ଅଷ୍ଟ୍ରେଲିଆର ‘ବିଗ ବ୍ୟାଶ ଲିଗ’ ଏବଂ ଇଂଲଣ୍ଡର ‘ଟି-୨୦ ବ୍ଲାଷ୍ଟ’ରେ ଅଂଶଗ୍ରହଣ କରିଛନ୍ତି। ହାଇଦ୍ରାବାଦ କିଙ୍ଗ୍ସମ୍ୟାନ ଦଳରେ ଟି-୨୦ର ବିସ୍ଫୋରକ ବ୍ୟାଟର ଗ୍ଲେନ୍‌ ମ୍ୟାକ୍ସୱେଲ ରହିଛନ୍ତି। ଏହା ସତ୍ତ୍ୱେ ଲାବୁସେନ୍‌ଙ୍କୁ ଅଧିନାୟକ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କୁହାଯାଉଛି ଯେ, ମ୍ୟାକ୍ସୱେଲ ପୁରା ସିଜିନ ପାଇଁ ଉପଲବ୍ଧ ନ ଥାଇ ପାରନ୍ତି, କିନ୍ତୁ ଲାବୁସେନ ସମ୍ପୂର୍ଣ୍ଣ ସିଜିନ୍‌ ଖେଳିବା ପାଇଁ ସମ୍ମତି ଦେଇଛନ୍ତି। ସେଥିପାଇଁ ଦଳ ପରିଚାଳନା କମିଟି ଲାବୁସେନ୍‌ଙ୍କୁ ଉପରେ ଭରସା ପ୍ରକଟ କରିଛି।
ଲାବୁସେନ ଟେଷ୍ଟରେ ୧୧ଟି ଶତକ ଏବଂ ଦିନିକିଆରେ ୨ଟି ଶତକ ହାସଲ କରିଛନ୍ତି, କିନ୍ତୁ ଟି-୨୦ ରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଏପର୍ଯ୍ୟନ୍ତ ବାକି ଅଛି। ଖୁବଶୀଘ୍ର ଆରମ୍ଭ ହେବାକୁ ଥିବା ପିଏସଏଲ୍‌ରେ ତାଙ୍କର ରଣନୀତି କିପରି ରହିବ, ସେଥିପ୍ରତି ସମସ୍ତଙ୍କ ନଜର ରହିଛି।
Dharitri – Odisha’s No.1 Odia Daily

Share