କୋଟଗଡ଼,୧୩ା୧୧ (ସରୋଜ ବଳିୟାରସିଂ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ମାର୍ଲାଙ୍ଗା ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ୨୦୨୨ରେ ପଞ୍ଚାୟତ ନିର୍ବାଚନ ବେଳେ ଅଶୋକ ମୁଠା ମାଝୀଙ୍କର ୨ରୁ ଅଧିକ ପିଲା ଥିବାବେଳେ ମାତ୍ର ୨ଜଣ ସନ୍ତାନ ଥିବାକଥା ମିଥ୍ୟାରେ ଉଲ୍ଲେଖ କରି ପଦବୀ ହାତେଇବା ମହଙ୍ଗା ପଡ଼ିଛି।
ପ୍ରକାଶ ଯେ, କିଛି ମାସ ପୂର୍ବେ ମନ ପାଟମାଝୀ, ଲୁସିଆନ ବଳିୟାର ସିଂ, ବୀରବର ଉଠାନସିଂ, ଜଗଦିଶ ବେହେରାମାଝୀ, ଧିରେନ ବଳିୟାରସିଂ ମିଶି ସରପଞ୍ଚ ଅଶୋକ ମୁଠାମାଝୀ ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲ କରି ପଦବୀ ହାତେଇ ଥିବା ନେଇ କନ୍ଧମାଳ ଜିଲାପାଳଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଉକ୍ତ ଘଟଣାର ତଦନ୍ତ କରି ଜିଲାପାଳ ବେଦଭୂଷଣ ନଭେମ୍ବର ୭ରେ ଜିଲାପାଳ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୬୦୬ ଅନୁଯାଇ ଅଶୋକ ମୁଠାମାଝୀଙ୍କୁ ସରପଞ୍ଚ ପଦରୁ ଅଯୋଗ୍ୟ ବିବେଚିତ କରି ସ୍ଥାନୀୟ ବଡ଼ିଓ କୋଟଗଡଙ୍କୁ ପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି।