ରିଲାଏନ୍ସ-HDFC ଖସିଲା, LIC-TCSର ବଢ଼ିଲା ମାର୍କେଟ କ୍ୟାପ୍‌ 

ନୂଆଦିଲ୍ଲୀ,୧୦।୮: ଗତ ସପ୍ତାହରେ ଭାରତୀୟ ଶେୟାର ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା।  ଫଳରେ ଶୀର୍ଷ ୧୦ଟି ଶୀର୍ଷ କମ୍ପାନୀ ମଧ୍ୟରୁ ୬ଟିର ମାର୍କେଟ କ୍ୟାପ୍‌ରେ ୧.୩୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ସବୁଠାରୁ ବଡ଼ କ୍ଷତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ହୋଇଛି। BSE ସେନସେକ୍ସ ଲଗାତାର ଛଅଟି ସପ୍ତାହ ହ୍ରାସ ସହ ବନ୍ଦ ହୋଇଛି। ଗତ ସପ୍ତାହରେ ସେନସେକ୍ସ ୭୪୨.୧୨ ପଏଣ୍ଟ ଅର୍ଥାତ ୦.୯୨% ହ୍ରାସ ପାଇଛି, ଆଉ ନିଫଟି ୨୦୨.୦୫ ପଏଣ୍ଟ ବା ୦.୮୨% ଖସିଛି।
ଏହି ହ୍ରାସ ସମୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, HDFC ବ୍ୟାଙ୍କ, ଭାରତୀ ଏୟାରଟେଲ, ICICI ବ୍ୟାଙ୍କ, ଇନଫୋସିସ ଏବଂ ହିନ୍ଦୁସ୍ତାନ ୟୁନିଲିଭର ଭଳି ବଡ଼ କମ୍ପାନୀଗୁଡ଼ିକର ମାର୍କେଟ ମୂଲ୍ୟ କମିଛି। ସବୁଠାରୁ ଅଧିକ କ୍ଷତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ହୋଇଛି, ଯାହାର ମାର୍କେଟ କ୍ୟାପ ୩୪,୭୧୦.୮ କୋଟି ଟଙ୍କା ହ୍ରାସ ପାଇ ୧୮,୫୧,୧୭୪.୫୯ କୋଟି ଟଙ୍କାରେ ପହଞ୍ଚିଛି। HDFC ବ୍ୟାଙ୍କର ମାର୍କେଟ କ୍ୟାପ ୨୯,୭୨୨.୦୪ କୋଟି ଟଙ୍କା କମି ୧୫,୧୪,୩୦୩.୫୮ କୋଟି ଟଙ୍କା ହୋଇଛି।  ICICI ବ୍ୟାଙ୍କର ମାର୍କେଟ କ୍ୟାପ ୨୪,୭୧୯.୪୫ କୋଟି ଟଙ୍କା ହ୍ରାସ ପାଇ ୧୦,୨୫,୪୯୫.୬୯ କୋଟି ଟଙ୍କା ଏବଂ ଇନଫୋସିସର ୧୯,୫୦୪.୩୧ କୋଟି ଟଙ୍କା କମି ୫,୯୧,୪୨୩.୦୨ କୋଟି ଟଙ୍କା ହୋଇଛି। ଭାରତୀ ଏୟାରଟେଲର ମାର୍କେଟ କ୍ୟାପ ୧୫,୦୫୩.୫୫ କୋଟି ଟଙ୍କା ହ୍ରାସ ପାଇ ୧୦,୫୯,୮୫୦.୩୨ କୋଟି ଟଙ୍କା ଏବଂ ହିନ୍ଦୁସ୍ତାନ ୟୁନିଲିଭରର ୧୨,୪୪୧.୦୯ କୋଟି ଟଙ୍କା କମି ୫,୮୭,୦୨୧.୮୮ କୋଟି ଟଙ୍କା ହୋଇଛି।
ଅନ୍ୟପକ୍ଷରେ, ଭାରତୀୟ ଜୀବନ ବୀମା ନିଗମ (LIC) ର ମାର୍କେଟ କ୍ୟାପ ୧୭,୬୭୮.୩୭ କୋଟି ଟଙ୍କା ବଢ଼ି ୫,୭୭,୧୮୭.୬୭ କୋଟି ଟଙ୍କା ହୋଇଛି। ଟାଟା କନସଲଟାନ୍ସି ସର୍ଭିସେସ (TCS) ର ମୂଲ୍ୟ ୧୧,୩୬୦.୮ କୋଟି ଟଙ୍କା ବଢ଼ି ୧୦,୯୭,୯୦୮.୬୬ କୋଟି ଟଙ୍କା, ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ର ୯,୭୮୪.୪୬ କୋଟି ଟଙ୍କା ବଢ଼ି ୭,୪୨,୬୪୯.୩୪ କୋଟି ଟଙ୍କା ଏବଂ ବଜାଜ ଫାଇନାନ୍ସର ୧୮୬.୪୩ କୋଟି ଟଙ୍କା ବଢ଼ି ୫,୪୫,୧୪୮.୫୨ କୋଟି ଟଙ୍କା ହୋଇଛି।  ମାର୍କେଟ କ୍ୟାପ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନମ୍ବର-୧ କମ୍ପାନୀ ଭାବେ ରହିଛି। ଏହାପରେ HDFC ବ୍ୟାଙ୍କ, TCS, ଭାରତୀ ଏୟାରଟେଲ, ICICI ବ୍ୟାଙ୍କ, SBI, ଇନଫୋସିସ, ହିନ୍ଦୁସ୍ତାନ ୟୁନିଲିଭର, LIC ଏବଂ ବଜାଜ ଫାଇନାନ୍ସ ରହିଛନ୍ତି।
ଗତ ସପ୍ତାହରୁ ଭାରତୀୟ ଶେୟାର ବଜାରର ଗତି ମନ୍ଥର ରହିଆସୁଛି। ସପ୍ତାହର ଶେଷ କାରବାର ଦିବସ ଶୁକ୍ରବାର, ୮ ଅଗଷ୍ଟ ୨୦୨୫ରେ ବଜାରର ମୁଖ୍ୟ ସୂଚକାଙ୍କ ସେନସେକ୍ସ ୭୬୫.୪୭ ପଏଣ୍ଟ ଖସି ୭୯,୮୫୭.୭୯ରେ ବନ୍ଦ ହୋଇଛି। ବିଦେଶୀ ନିବେଶକମାନେ ମଧ୍ୟ ରେକର୍ଡ ବିକ୍ରୟ କରିଛନ୍ତି। ବଜାରରେ ହ୍ରାସ ଯୋଗୁ ସେନସେକ୍ସର ମୁଖ୍ୟ କମ୍ପାନୀଗୁଡ଼ିକର ମୂଲ୍ୟ ହ୍ରାସ ପାଇଛି।