ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ୨୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବଲାଙ୍ଗୀର, ୨୪।୮: (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା-କୁଟାସିଂହା ରାସ୍ତାରୁ ୨ କୁଇଣ୍ଟାଲ ୧୪ କେଜି ଗଞ୍ଜେଇ ଜବତ କରାଯାଇଛି। ଅନ୍ୟପକ୍ଷ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଲୋଇସିଂହା ପୋଲିସକୁ ଖବର ମିଳିଥିଲା। ଏନେଇ ପୋଲିସ୍‌ର ଏକ ଟିମ୍‌ ଏକ ସାଲେଭଟା-କୁଟାସିଂହା ରାସ୍ତାରେ ଚଢାଉ କରି ଏକ କାର୍‌କୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡିରୁ ୨ କୁଇଣ୍ଟାଲ ୧୪ କେଜି ଗଞ୍ଜେଇ ଜବତ କରାଯିବ ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଧରିବାର ସଫଳ ହୋଇଥିଲା।

ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲା ଘଣ୍ଟାପଡା ଗାଁର ଗୁଲେଖ ହରିପାଲ(୨୫)। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଡିପିଓ ସରୋଜ ଉପାଧ୍ୟାୟ କହିଛନ୍ତି। ଚଢ଼ାଉ ବେଳେ ଗଞ୍ଜେଇ ଗାଡିରୁ ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଅନ୍ୟ ଜଣେ ବୁଲେଟରେ କାରକୁ ଏସ୍‌କଟ କରୁଥିବା ଖବର ମିଳିଛି।