ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ ରଖିଥିଲା। ଗୁରୁବାର ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ମଧ୍ୟପ୍ରଦେଶର ଦାମୋହ ବାସିନ୍ଦା ଗଣେଶ ବନସାଲ(୭୦) ଏବଂ ବବନ ରେଖୱା (୩୫)। ସେମାନଙ୍କ ପାଖରୁ ୮.୮୦୦ କେଜି ଗଞ୍ଜେଇ, ଗୋଟିଏ ମୋବାଇଲ ଫୋନ ଏବଂ ନଗଦ ୩୦୦ ଟଙ୍କା ଜବତ କରାଯାଇଛି l
ମିଳିଥିବା ସୂଚନା ମୁତାବକ, ବରଗଡ଼-ସମ୍ବଲପୁର ୫୩ ନମ୍ବର ଜାତୀୟ ରାଜପଥରେ ଯାତାୟାତ କରୁଥିବା ଏକ ବସ୍ରେ ତିନି ଜଣ ଯାତ୍ରୀ ଯାଉଥିଲେ l ବସ୍କଣ୍ଡକ୍ଟର ସେମାନଙ୍କୁ ସନ୍ଦେହ କରି ଚକୁଳିଫାର୍ମ ଗୋଡ଼ଭାଗା ମଝିରେ ଥିବା ସତୀଯୋର ବ୍ରିଜ ପାଖରେ ଓହ୍ଲାଇ ଦେଇଥିଲେ। ଏପରିକି ସେମାନଙ୍କ ଲଗେଜ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା।
ଅତାବିରା ପୋଲିସ ପହଞ୍ଚି ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଖସି ଫେରାର ହୋଇଯାଇଥିଲେ। ଉଭୟ ମଧ୍ୟପ୍ରଦେଶରୁ ଆସି ବରପାଲି ଅଞ୍ଚଳରେ ଗଞ୍ଜେଇ ସଂଗ୍ରହ କରି ପୁଣି ମଧ୍ୟପ୍ରଦେଶ ଯାଉଥିଲେ। ଏନେଇ ଅତାବିରା ଥାନାରେ ଏକ ମାମଲା(ନଂ. ୧୩୪/୨୬) ରୁଜୁ ହୋଇଛି।