ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ ପଣ୍ଡ କରିଛନ୍ତି। ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲା ବାଲିଗୁଡା ଥାନା ସଲାଗୁଡା ପଞ୍ଚାୟତ ସିକିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ନେଇ ଗୁଇନ୍ଦା ସୂଚନା ପାଇବା ପରେ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନକୁ ଜୋରଦାର କରିଥିଲେ। ଏହି କୋମ୍ବିଂ ଅପରେଶନ ବେଳେ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଆଇଇଡି ବିସ୍ଫୋରକ ବିଛାଇଥିଲେ । କିନ୍ତୁ ମାଓବାଦୀଙ୍କ ଏହି ଯୋଜନାକୁ ବିଏସଏଫ ୧୩୬ ବାଟାଲିୟନ ପଣ୍ଡ କରି ଥିବା ଜଣାପଡିଛି । ଜଙ୍ଗଲରୁ ୧୮ଟି ଜିଲାଟିନ, ୧୭ଟି ବ୍ୟାଟେରୀ, ଗୋଟିଏ ସୋଲାର ପ୍ଲେଟ, ୮ଟି ଡିଟୋନେଟର, ୧୨ ମିଟର ଫିଉଜ ତାର, ୧୫ ମିଟର ବିଦ୍ୟୁତ୍‌ ତାର, ୯ଟି ତୀକ୍ଷଣ ଲୁହା ଛଡ଼, ୨ କୁରାଡ଼ି, ପାଣି ବୋତଲ,କେନ, ଜୋତା, ପଲିଥିନ ଆଦି ସାମଗ୍ରୀ ଜବତ ପରେ ସମଗ୍ର କନ୍ଧମାଳ ଜିଲାକୁ ମାଓ ମୁକ୍ତ କରିବାକୁ ଘଞ୍ଚ ଜଙ୍ଗଲ ଗୁଡିକରେ ଜୋରଦାର ଅପରେଶନ ଚାଲିଥିବା ବିଷୟ ବିଏସଏଫ ପକ୍ଷରୁ ସୂଚନା ମିଳିଛି ।

Dharitri – The Largest & Most Trusted Odia Daily