କଲ୍ୟାଣସିଂହପୁର ଅଞ୍ଚଳରେ ମାଓବାଦୀ ବ୍ୟାନର

ରାୟଗଡା ଅଫିସ, ୨୩|୧: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ପୁଣି ମାତିଲେ ମାଓବାଦୀ। କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ା ଗାଁରେ ଏସ୍‌ଭିଏସ୍‌ଏମ୍‌ସି ଠିକା କମ୍ପାନୀର କ୍ୟାମ୍ପରେ ଥିବା ଟ୍ରକ୍‌ ସେମାନେ ଜାଳିଦେଇଛନ୍ତି। କଲ୍ୟାଣସିଂହପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ମିଳିଛି।
ସୂଚନାନୁସାରେ ଶୁକ୍ରବାର ରାତିରେ ଏକ ଶବ୍ଦ ଶୁଣି କ୍ୟାମ୍ପର ପିଅନ ଉଠି ପଡ଼ିଥିଲେ। ଏହି ସମୟରେ ଟ୍ରକ୍‌ ଜଳୁଥିବାର ଦେଖି ସେ ଗ୍ରାମବାସୀଙ୍କୁ ଡାକିଥିଲେ। ସମସ୍ତେ ମିଶି ନିଆଁକୁ ଆୟତ୍ତ କରିଥିଲେ। ଶିକରପାଇ ରାସ୍ତାରେ ଥିବା ଏକ ବରଗଛ, କଲ୍ୟାଣସିଂହପୁର ତହସିଲ ଅଫିସ ଆଗରୁ ମାଓବାଦୀ ପୋଷ୍ଟର ଓ ବ୍ୟାନର ମିଳିଛି। ଉକ୍ତ ବ୍ୟାନରରେ ଆମ ସାଥୀଙ୍କୁ ହଇରାଣ କରାଯାଉଛି, ସେଥିପାଇଁ ବାହାରକୁ ଆସିବାକୁ ବାଧ୍ୟ ହେଲୁ। ୱାର୍ଡ ସଭ୍ୟରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଦଲାଲି କରୁଛନ୍ତି। ଠିକ୍‌ କାମ ନ କଲେ ହତ୍ୟା କରାଯିବ। ଆଡ଼ିବନ୍ଧ, କେନାଲ, ପୋଖରୀ ଆଦି କାମକୁ ବିରୋଧ କରାଯାଇଛି। ବ୍ୟାନରଟି ସିପିଆଇ(ଏମ୍‌) ପକ୍ଷରୁ ଲଗାଯାଇଛି। ଘଟଣାସ୍ଥଳରେ ରାୟଗଡ଼ା ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାସ, କଲ୍ୟାଣସିଂହପୁର ଥାନାଧିକାରୀ ସୁକୁମା ହଁାସଦା ପହଞ୍ଚତ୍ ପୋଷ୍ଟର ବାହାର କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Share