ଅମାଜନର କ୍ଲାଉଡ୍ ସେବାରେ ବିଶ୍ୱବ୍ୟାପୀ ବିଭ୍ରାଟ: ଅନେକ ୱେବସାଇଟ୍, ଆପ୍ ଅଚଳ

ନୂଆଦିଲ୍ଲୀ,୨୦।୧୦: ଅମାଜନର କ୍ଲାଉଡ୍ ସେବା ୟୁନିଟ୍ AWSରେ ସୋମବାର ବିଶ୍ୱବ୍ୟାପୀ ବିଭ୍ରାଟ ଘଟିଛି। ଏହାଫଳରେ ବିଶ୍ୱର ଅନେକ କମ୍ପାନୀର ସଂଯୋଗ ସମସ୍ୟା ଦେଖାଦେଇଛି ଏବଂ Fortnite, Snapchat ଭଳି ଲୋକପ୍ରିୟ ୱେବସାଇଟ୍ ଓ ଆପ୍‌ଗୁଡ଼ିକର ସେବା ବ୍ୟାହତ ହୋଇଛି।

AWS ତା’ର ଷ୍ଟାଟସ୍ ପେଜ୍‌ରେ ଏହି ବିଷୟରେ ଅପଡେଟ ଦେଇ କହିଛି, “US-EAST-1 ଅଞ୍ଚଳରେ ଏକାଧିକ AWS ସେବାରେ ତ୍ରୁଟି ହାର ଓ ବିଳମ୍ବ ବୃଦ୍ଧି ହେଉଛି ବୋଲି ଆମେ ନିଶ୍ଚିତ କରୁଛୁ।” AI ଷ୍ଟାର୍ଟଅପ୍ Perplexity, କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍ Coinbase ଏବଂ ଟ୍ରେଡିଂ ଆପ୍ Robinhood ଏହି ବିଭ୍ରାଟକୁ AWS ସହ ଯୋଡ଼ିଛନ୍ତି।

Perplexityର CEO ଅରବିନ୍ଦ ଶ୍ରୀନିବାସ ଏକ୍ସରେ ପୋଷ୍ଟ କରି କହିଛନ୍ତି, “Perplexity ବର୍ତ୍ତମାନ ଅଚଳ। ମୂଳ କାରଣ AWS ସମସ୍ୟା। ଆମେ ଏହାକୁ ସମାଧାନ କରିବାକୁ କାମ କରୁଛୁ।”

AWS କମ୍ପାନୀ, ସରକାର ଓ ବ୍ୟକ୍ତିଙ୍କୁ ଅନ-ଡିମାଣ୍ଡ୍ କମ୍ପ୍ୟୁଟିଂ ପାୱାର, ଡାଟା ଷ୍ଟୋରେଜ୍ ଓ ଅନ୍ୟ ଡିଜିଟାଲ୍ ସେବା ଯୋଗାଏ। ଏହାର ସର୍ଭରରେ ବିଭ୍ରାଟ ହେଲେ ଏହା ଉପରେ ନିର୍ଭରଶୀଳ ୱେବସାଇଟ୍ ଓ ପ୍ଲାଟଫର୍ମଗୁଡ଼ିକରେ ଅଚଳ ହୋଇପଡ଼େ। AWS ଗୁଗଲ୍ ଓ ମାଇକ୍ରୋସଫ୍ଟର କ୍ଲାଉଡ୍ ସେବା ସହ ପ୍ରତିଯୋଗିତା କରେ। ତେବେ AWS ଓ ଅମାଜନ ଏହି ଘଟଣା ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ରିପୋର୍ଟ ଅନୁଯାୟୀ, ଅମାଜନର ଶପିଂ ୱେବସାଇଟ୍, Prime Video ଓ Alexaରେ ମଧ୍ୟ ସମସ୍ୟା ଦେଖାଦେଇଛି। Epic Gamesର Fortnite, Roblox, Clash Royale ଓ Clash of Clans ଭଳି ଗେମିଂ ସାଇଟ୍‌ଗୁଡ଼ିକ ଅଚଳ ହୋଇଛି। ଆର୍ଥିକ ପ୍ଲାଟଫର୍ମ Paypalର Venmo ଓ Chimeରେ ମଧ୍ୟ ସମସ୍ୟା ହୋଇଛି। ଆମେରିକାରେ ହଜାର ହଜାର ଉପଭୋକ୍ତାଙ୍କ ପାଇଁ Uber ପ୍ରତିଦ୍ୱନ୍ଦ୍ୱୀ Lyft ଆପ୍ ଅଚଳ ହୋଇଛି।

ମେସେଜିଂ ଆପ୍ Signalର ପ୍ରେସିଡେଣ୍ଟ ମେରେଡିଥ୍ ହ୍ୱିଟାକର ଏକ୍ସରେ ନିଶ୍ଚିତ କରିଛନ୍ତି ଯେ ସେମାନଙ୍କ ପ୍ଲାଟଫର୍ମ ମଧ୍ୟ AWS ବିଭ୍ରାଟରେ ପ୍ରଭାବିତ ହୋଇଛି।

Dharitri – Odisha’s No.1 Odia Daily

Share