Categories: Home Leftଖେଳ

‘ଅନେକ ବଳିଦାନ ଦେଇଛି’

ନୂଆଦିଲ୍ଲୀ,୨୪।୭: ଅଲିମ୍ପିକ୍ସ ସଫଳତା ପାଇବା ପାଇଁ ଅନେକ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଆଣି ଦେବା ପରେ ଏଭଳି କହିଛନ୍ତି ମୀରାବାଇ ଚାନ୍ନୁ। ୨୧ ବର୍ଷ ପରେ ଦେଶର ପ୍ରଥମ ଓ୍ବେଟ୍‌ଲିପ୍ଟର ଭାବେ ଚାନ୍ନୁ (୪୯ କେଜି) ଅଲିମ୍ପିକ୍ସ ପଦକ ଜିତିଛନ୍ତି।

‘ଜଣେ ବଡ଼ ଖେଳାଳି କିମ୍ବା କିଛି ବଡ଼ ସଫଳତା ଲାଗି ବଳିଦାନ ଦେବାକୁ ପଡ଼େ। ମୁଁ ଅନେକ କିଛି ପଛରେ ଛାଡ଼ିଛି। ୨୦୧୬ ରିଓ ଅଲିମ୍ପିକ୍ସ ବିଫଳତା ପରେ ୨୦୧୭ ବିଶ୍ୱ ଚାମ୍ପିୟନଶପ୍‌ ଲାଗି କଠିନ ପରିଶ୍ରମ କରିଥିଲି। ନିଜକୁ ପ୍ରମାଣ କରିବା ପାଇଁ ତାହା ଥିଲା ସବୁଠୁ ବଡ଼ ସୁଯୋଗ। ଏଣୁ ଘରକୁ ଯାଇ ନ ଥିଲି। ଏପରି କି ମୋ ଭାଉଣୀ ବିବାହରେ ଯୋଗଦେଇ ପାରି ନ ଥିଲି’ ବୋଲି ରୌପ୍ୟ ପଦକ ଜିତିବା ପରେ ମୀରାବାଇ କହିଛନ୍ତି।

ପରିବାର ଲୋକଙ୍କୁ ଭେଟିବା ପାଇଁ ଅପେକ୍ଷା କରିପାରୁ ନାହିଁ। କିଛି ଦିନ ହେଲା ମା’ ମନେ ପଡ଼ୁଛନ୍ତି। ସେ ମୋ ଲାଗି ଅନେକ ପ୍ରାର୍ଥନା କରିଛନ୍ତି ବୋଲି କୋହ ଭରା କଣ୍ଠରେ ଚାନ୍ନୁ କହିଛନ୍ତି।