ମାନ୍‌ ମୁଖ୍ୟମନ୍ତ୍ରୀ ନା କେଜରିଓ୍ବାଲଙ୍କ ପାଇଲଟ, ଶାହାଙ୍କ ପ୍ରଶ୍ନ…

ଗୁରୁଦାସପୁର,୧୮।୬ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବର ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ସିଏମ ଭଗଓ୍ବନ୍ତ ମନ ସାରା ସମୟ ବିତାଉଥିବାରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡି ଯାଉଛି। ନ୍‌ବେଳେବେଳେ ମନରେ ପ୍ରଶ୍ନ ଆସୁଛି ମାନ୍‌ ମୁଖ୍ୟମନ୍ତ୍ରୀ ନା କେଜରିଓ୍ବାଲଙ୍କ ପାଇଲଟ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନଅ ବର୍ଷର ସମାପ୍ତି ପାଇଁ ଭାଜପାର ଜନସମ୍ପର୍କ ଅଭିଯାନର ଏକ ଅଂଶ ଭାବରେ ଏକ ରାଲିକୁ ସମ୍ବୋଧିତ କରି ଶାହା କହିଛନ୍ତି ମୁଁ ସାରା ଜୀବନରେ ଏଭଳି ଏଏପି ନେତୃତ୍ୱାଧୀନ ସରକାର ଦେଖି ନାହିଁ, ଯାହା ଖାଲି ପ୍ରତିଶୃତି ଦେଇଥାଏ।

ମାନ୍‌ଙ୍କ ପାଖରେ କେବଳ ଗୋଟିଏ କାମ ଅଛି। ଯଦି କେଜରିୱାଲଙ୍କୁ ଚେନ୍ନାଇ ଯିବାକୁ ପଡିବ, ତେବେ ସେ ବିମାନ ଯୋଗେ ଦିଲ୍ଲୀ ଯାଇ ଚେନ୍ନାଇକୁ ଯିବେ। ଯଦି କୋଲକାତା ଯିବାକୁ ପଡିବ, ତେବେ ମାନ୍‌ ଏକ ବିମାନ ନେଇ କୋଲକାତା ଯିବେ। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କେଜରିୱାଲଙ୍କ ଦେଶବ୍ୟାପୀ ଯାତ୍ରା ଆୟୋଜନ କରାଯାଉଛି। କେଜରିୱାଲଙ୍କ ଗସ୍ତରେ ତାଙ୍କର ସମସ୍ତ ସମୟ ବିତୁଛି। ଫଳସ୍ବରୂପ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି।

ରାଜ୍ୟରେ ଲୋକମାନେ ସୁରକ୍ଷିତ ନୁହଁନ୍ତି। ଡ୍ରଗ୍ସ କାରବାର ବୃଦ୍ଧି ପାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏଥିପାଇଁ କିମ୍ବା ଚାଷୀଙ୍କ ସମସ୍ୟା ପାଇଁ ସମୟ ନାହିଁ।

ଏଏପି ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୧୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି। ସେ ଟଙ୍କା ମିଳିବ କେବେ ବୋଲି ଶାହା ପ୍ରଶ୍ନ କରିଛନ୍ତି।

Share