ଭୁବନେଶ୍ୱର,୯ା୭: ନବନିର୍ବାଚିତ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଆଶିଷ ନେଲା ବେଳେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି, ଖୁବ୍ଶୀଘ୍ର ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଖାଲିପଡ଼ିଥିବା ୬ଟି ପଦବୀ ପୂରଣ ସହିତ ଖୁବଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ବୋଲି ମଧ୍ୟ ସଭାପତି କହିଛନ୍ତି।
ସୂଚନାଯୋଗ୍ୟ, ମନମୋହନ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି।
ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା, ଯେଉଁଠାରେ ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାମକୁ ରାଜ୍ୟ ସଭାପତି ଭାବେ ଘୋଷଣା କରିଥିଲେ।
୨୦୨୪ ବିଧାନସଭା ନିର୍ବାଚନରେ ମନମୋହନଙ୍କ ନେତୃତ୍ୱରେ ଭାଜପା ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରି ଏକାକୀ ସରକାର ଗଠନ କରିଥିଲା। ତାଙ୍କ ନେତୃତ୍ୱ ଓ ରଣନୀତିକୁ ଦଳୀୟ କର୍ମୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ନିର୍ବାଚନ ସହିତ ମନମୋହନ ରାଜ୍ୟ ଭାଜପାର ମଙ୍ଗ ଧରି ନୂଆ ଇନିଂସ ଆରମ୍ଭ କରିଛନ୍ତି।