କରୋନାକୁ ହରାଇଲେ ମନମୋହନ

ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୦ ଦିନର ଚିକିତ୍ସା ପରେ ଶେଷରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ପ୍ରକାଶ ଯେ, ଜ୍ୱରରେ ପୀଡ଼ିତ ଥିବାରୁ ୮୮ ବର୍ଷୀୟ ମନମୋହନଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ ସେ କୋଭିଡ୍‌ ଟିକାର ଦୁଇଟି ଡୋଜ ନେଇସାରିଥିଲେ। ମାର୍ଚ୍ଚ ୪ରେ ସେ ପ୍ରଥମ ଡୋଜ୍‌ ନେଇଥିବା ବେଳେ ଏପ୍ରିଲ ୩ରେ ଦ୍ୱିତୀୟ ଡୋଜ୍‌ ନେଇଥିଲେ। ଏଣୁ କରୋନା ସହ ଲଢ଼େଇରେ ଟିକା ବେଶ୍‌ ଲାଭପ୍ରଦ ହେଲା ବୋଲି କୁହାଯାଉଛି।