ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତ ଭାଲିଆମୁଣ୍ଡା ବଳଦେବପୁର ବସ୍ତିରେ ରୁହନ୍ତି ମଞ୍ଜୁ ହୋତା(୬୦)। ବିଧବା ଭତ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମଧ୍ୟ ଆଜିଯାଏ ମିଳି ପାରିନାହିଁ।ଭତ୍ତା ବାବଦରେ ଯାହାକୁ ପଚାରିଲେ କେବଳ ଆଶ୍ୱାସନା ମିଳୁଥିବା ସେ କ୍ଷୋଭର ସହ କହିଛନ୍ତି। ଲୋଇସିଂହା ବ୍ଲକ ବୁଢୀପଦର ପଞ୍ଚାୟତ ଘୁଷୁରାମୁଣ୍ଡା ଗାଁର ଜଗନ୍ନାଥ ହୋତା ପ୍ରଥମ ସ୍ତ୍ରୀଙ୍କ ଦେହାନ୍ତ ପରେ ମଞ୍ଜୁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଜଗନ୍ନାଥ ଓ ମଞ୍ଜୁ ବଳଦେବପୁରରେ ରହୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ମଞ୍ଜୁ ଭତ୍ତା ପାଇଁ ଆବେଦନ କରିଥିଲେ। ଇତିମଧ୍ୟରେ ଜଗନ୍ନାଥଙ୍କ ମୃତ୍ୟୁ ହେବାର ପ୍ରାୟ ଦେଢ ବର୍ଷ ହେବାକୁ ଯାଉଛି। ସରକାରୀ ଚାଉଳ ବ୍ୟତୀତ ଅନ୍ୟାନ୍ୟ ସୁବିଧା ମିଳୁନାହିଁ। ଫଳରେ ମଞ୍ଜୁ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।