ଆମ୍ବ ଗଛ ପଡ଼ି ଭାଙ୍ଗିଲା ୩ ଘର, ବିଦ୍ୟୁତ୍‌ ଖୁଣ୍ଟ: ଅନ୍ଧାରରେ ଗାଁ

ନନ୍ଦପୁର,୧୧ା୧(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ଜବାଗଡ ଗ୍ରାମରେ ମଝିରେ ଥିବା ଏକ ଆମ୍ବ ଗଛ ଭାଙ୍ଗି ପଡିବାରୁ ୩ ଘରର ଛପର ନଷ୍ଟ ହେବା ସହ ପାର୍ଶ୍ୱରେ ଥିବା ୩ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଛି।

ଗ୍ରାମର ରମେଶ ଦଳପତି, ଶ୍ୟାମ ଦଳପତି ଓ ସୁକ୍ରୀ ଦଣ୍ଡସେନାଙ୍କ ଘରର ଟାଇଲ୍‌ ଓ ଆଜବେଷ୍ଟସ ଛପର ଭାଙ୍ଗି ନଷ୍ଟ ହୋଇଛି। ହେଲେ ୩ ପରିବାରର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି।

ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯିବାରୁ ଗାଁ ଅନ୍ଧାରରେ ରହିଛି। ନନ୍ଦପୁର ଅଗ୍ନିଶମ ଏଏସ୍‌ଓ ହେମନ୍ତ କୁମାର ସାମଲ, ଏଫଏଫଡି ଅଜୟ ପ୍ରଧାନ, ଏଫଏଫ ରଞ୍ଜନ ମଲ୍ଲିକ, ଅମିତ୍‌ କୁମାର ଦାସ, ବିଷ୍ଣୁ ପ୍ରସାଦ ନାୟକ, କିରଣ କୁମାର ମହାରଣା ପହଞ୍ଚି ଘର ଉପରୁ ଗଛ ଡ଼ାଳକୁ କାଟି ହଟାଇଥିଲେ। ବିଦ୍ୟୁତ୍‌ ସଂଯୋଗ ଲମତାପୁଟ ବ୍ଲକ ଟିପି ଏସଓଡିଏଲ କର୍ତ୍ତୃପକ୍ଷଙ୍କ ଜିମାରେ ଥିବାରୁ ନୂତନ ବିଦ୍ୟୁତ୍‌ ପୋଲ ସ୍ଥାପନ କରି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରିବାକୁ ଅନୁରୋଧ କରାଯାଇଛି।

ନନ୍ଦପୁର ଅତିରିକ୍ତ ତହସିଲଦାର ମାଧବ ପାଙ୍ଗୀ ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ କରି ପ୍ରଥମେ ପଲିଥିନ ପ୍ରଦାନ କରି କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦେଇଛନ୍ତି।