Categories: Home Leftଖେଳ

ମନ୍ଧାନା ପୁଣି ନମ୍ବର ଓ୍ବାନ

ଦୁବାଇ,୧୬ା୯: ଅଷ୍ଟ୍ରେଲିଆ ବିପକ୍ଷ ପରାଜିତ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିବା ପରେ ସଦ୍ୟ ପ୍ରକାଶିତ ଆଇସିସି ଅନ୍ତର୍ଜାତୀୟ ଦିନିକିଆ ମହିଳା ବ୍ୟାଟର ତାଲିକାରେ ପୁନର୍ବାର ନମ୍ବର ଓ୍ବାନ ସ୍ଥାନ ହାସଲ କରିଛନ୍ତି ଭାରତର ଟପ୍‌ ଅର୍ଡର ଷ୍ଟାର ବ୍ୟାଟର ସ୍ମୃତି ମନ୍ଧାନା।

ମୁଲାନପୁରଠାରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ମନ୍ଧାନା ୬୩ ବଲ୍‌ରୁ ୫୮ରନ୍‌ ସଂଗ୍ରହ କରିଥିଲେ। ତେବେ ସେ ଭାରତକୁ ପରାଜୟରୁ ବଞ୍ଚାଇପାରି ନ ଥିଲେ। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ବିଜୟ ଲାଭ କରି ସିରିଜ ୧-୦ରେ ଆଗୁଆ ରହିଛି।

ସେପ୍ଟେମ୍ବର ୩୦ରୁ ମହିଳା କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁଥିବା ବେଳେ ନମ୍ବର-୧ ସ୍ଥାନ ମନ୍ଧନାଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ। ଅର୍ଦ୍ଧଶତକ ଯୋଗୁ ମନ୍ଧାନାଙ୍କୁ ୭ରେଟିଂ ପଏଣ୍ଟ ମିଳିଥିଲା। ଦ୍ୱିତୀୟ ସ୍ଥାନକୁ ଖସିଥିବା ଇଂଲଣ୍ଡ ଷ୍ଟଲଓ୍ବାର୍ଟ ନାଟ୍‌ ସ୍କିଭର-ବ୍ରଣ୍ଟଙ୍କଠାରୁ ସେ ବର୍ତ୍ତମାନ ୪ ପଏଣ୍ଟ ଆଗରେ ରହିଛନ୍ତି।

ମନ୍ଧାନା ୨୦୧୯ରେ ପ୍ରଥମେ ନମ୍ବର-୧ ର଼୍ୟାଙ୍କିଙ୍ଗ ହାସଲ କରିଥିଲେ। ୨୦୨୫ରେ ସେ ଦୁଇଥର ପ୍ରଥମ ସ୍ଥାନରେ ରହିପାରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୬୪ରନ୍‌ ସ୍କୋର କରିଥିବା ଭାରତୀୟ ଓପନର ପ୍ରତୀକା ରାଓ୍ବଲ ୪ ସ୍ଥାନ ଉପରକୁ ଉଠି ୪୨ତମ ସ୍ଥାନରେ ରହିଛନ୍ତି।

୫୪ରନ କରିଥିବା ଟପ୍‌ ଅର୍ଡର ବ୍ୟାଟର ହାର୍ଲିନ ଦେଓଲ ବର୍ତ୍ତମାନ ୪୩ତମ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆ ପାଇଁ ବାମହାତି ଷ୍ଟଲଓ୍ବାର୍ଟ ବେଥ୍‌ ମୁନି ତାଙ୍କ ଅପରାଜିତ ୭୭ ରନ ପାଇଁ ୩ ସ୍ଥାନ ପଦୋନ୍ନତି ସହ ୫ମ ସ୍ଥାନ ଅଧିକାର କରିଥିବା ବେଳେ ଆନାବେଲ ସଦରଲାଣ୍ଡ (୪ ସ୍ଥାନ ପଦୋନ୍ନତି) ଓ ଫୋଏବ୍‌ ଲିଚ୍‌ଫିଲ୍ଡ (୧୩ ସ୍ଥାନ ପଦୋନ୍ନତି) ସେମାନଙ୍କ ଅର୍ଦ୍ଧଶତକ ପାଇଁ ମିଳିତ ଭାବେ ୨୫ମ ସ୍ଥାନରେ ଅଛନ୍ତି। ପେସର କିମ୍‌ ଗାରେଥ ଓ ସ୍ପିନର ଅଲାନା କିଙ୍ଗ୍‌ ପ୍ରତ୍ୟେକ ଗୋଟିଏ ସ୍ଥାନ ଉପରକୁ ଉଠି ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ଅଛନ୍ତି। ମ୍ୟାଚରେ କୋଟିଏ ଉଇକେଟ ନେଇଥିବା ଭାରତୀୟ ସ୍ପିନର ସ୍ନେହ ରାଣା ୫ ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ସ୍ପିନର ସୋଫି ଏକ୍ଲେଷ୍ଟୋନ୍‌ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ବୋଲର ଭାବେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।