ଅମରପାଲି,୧୮।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡ ଠାରେ ଜେସିବି ଧକ୍କାରେ ଜଣେ ନିର୍ମାଣାଧୀନ ସଂସ୍ଥା ମ୍ୟାନେଜରଙ୍କ ଗତ ସୋମବାର ରାତି ୮ଟାରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହେବାର ୧୬ ଘଣ୍ଟା ବିତିଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ମୃତଦେହ ପଡ଼ିରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ମୃତଦେହ ଉଦ୍ଧାର କରାଯାଇପାରିନାହିଁ। କ୍ଷତିପୂରଣ ସହିତ ଜେସିବି ଚାଳକକୁ ଗିରଫ କରିବାକୁ ଦାବି କରିବା ସହିତ ନିର୍ମାଣାଧୀନ ସଂସ୍ଥାର ମାଲିକ ଓ ଗାଡି ମାଲିକ ଘଟଣାସ୍ଥଳକୁ ଆସିବାକୁ ଦାବି କରି ପ୍ରତିବାଦ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଲୋକେ ଓ ପରିବାର ଲୋକେ ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ପଞ୍ଚାୟତର ଚୌକା ଗ୍ରାମର ନରହରି ଭୁକ୍ତାଙ୍କ ସାନପୁଅ ପପୁନ ଭୁକ୍ତା (୨୮)ଙ୍କ ଜେସିବି ଚାପାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଅମରପାଲି ପୂର୍ତ୍ତ ବିଭାଗର ରାସ୍ତା ଠାରୁ ଗୌଡଗାଡ ଦେଇ ଠେଙ୍ଗୋ ଡ୍ୟାମ ପର୍ଯ୍ୟନ୍ତ ଆରଡି ବିଭାଗ ତରଫରୁ ରାସ୍ତା କାମ ହେଉଛି। ଏଥିପାଇଁ ଗୌଡ଼ଗାଡ ଗାଁ ମୁଣ୍ଡରେ ବନ୍ଦ ହୋଇଥିବା ଏକ ଢାବାରେ ଉକ୍ତ ନିର୍ମାଣାଧୀନ ସଂସ୍ଥା ତାହାର କ୍ୟାମ୍ପ କରିଥିଲା। ସୋମବାର କାମ ସରିଲା ପରେ କ୍ୟାମ୍ପକୁ ସମସ୍ତେ ଆସିଥିଲେ। ଏହି ସମୟର ଉକ୍ତ ରାସ୍ତାର କାମ ବୁଝାସୁଝା କରୁଥିବା ମ୍ୟାନେଜର ପପୁନ ଓଡି ୦୮ଜେ ୧୩୫୭ ନମ୍ବର ବିଶିଷ୍ଟ ନିଜ ବାଇକକୁ ରଖି କ୍ୟାମ୍ପ ଆଗରେ ବାଇକ ପାଖରେ ଠିଆ ହୋଇଥିଲେ। ଏହି ସମୟର ଉକ୍ତ ରାସ୍ତାର କାମ କରୁଥିବା ଏକ ଜେସିବିକୁ ମଧ୍ୟ ରଖିବାକୁ ଡ୍ରାଇଭର ଆଣୁଥିଲା। ଏହି ସମୟରେ ଜେସିବିଟି ଜୋର୍ରେ ଧକ୍କା ଦେଇଥିଲା। ଫଳରେ ପପୁନଙ୍କ ମୁଣ୍ଡ ଓ ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବିଭୂନ୍ଦ୍ର ବରାଳ ଆସି ତଦନ୍ତ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଜେସିବିକୁ ଧରିବାକୁ ତନାଘନା ଚାଲିଥିବା ପୋଲିସ କହିଛି। ଦୁର୍ଘଟଣା ଘଟାଇଥିବା ଜେସିବିକୁ ଧରି ଡ୍ରାଇଭର ଫେରାର ହୋଇଛି। ଜେସିବିଟି ଚାରମାଳ ଥାନା ବଡ଼ମାଳ ଫାଣ୍ଡି ଅଞ୍ଚଳର ସୁନାମୁଦି ଗ୍ରାମର ବୋଲି ସେହି ନିର୍ମଣାଧୀନ ସଂସ୍ଥାରେ କାମ କରୁଥିବା ଅନ୍ୟ ଯୁବକମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବୀରମହାରାଜପୁର ଥାନାରେ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି। ତେବେ ଏଯାଏ ମୃତଦେହ ପଡି ରହିଥିବାରୁ ଗୌଡ଼ଗାଡ ଗ୍ରାମର ମନ୍ଦିରମାନଙ୍କରେ ପୂଜାପାଠ ହୋଇ ପାରୁ ନାହିଁ। ମୃତଦେହ ପଡ଼ିଥିବାରୁ ଗ୍ରାମର କହାରିଘରେ ରୋଷେଇ ମଧ୍ୟ କରି ପାରୁନାହାନ୍ତି।