ଶୌଚ ହେବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଦୁଇଦିନ ପରେ ମିଳିଲା ମୃତଦେହ

ହାଟଡିହୀ,୧୭ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସଡ଼ଙ୍ଗ ପଞ୍ଚାୟତ ଅଢ଼େଇ ଦୁଆର ଗ୍ରାମର ଜଣେ ଯୁବକଙ୍କ ମୃତଦେହ ଗାଁ ପୋଖରୀରୁ ମିଳିଛି।

ସୂଚନାନୁସାରେ, ଗ୍ରାମର ମଙ୍ଗୁଳିଆ ହାତୀ (୩୮) ଚଳିତ ମାସ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ଖାଇ ସାରିବା ପରେ ଶୌଚ ହେବା ପାଇଁ ଗାଁ ପୋଖରୀ ଆଡ଼େ ଯାଇଥିଲେ। ପୋଖରୀରେ ଶୌଚ ହେଉଥିବା ବେଳେ ଗଭୀର ପୋଖରୀ ଭିତରକୁ ଖସି ପଡ଼ିଥିଲେ। ଦଳ ଭର୍ତ୍ତି ପୋଖରୀରେ ପ୍ରବଳ ପାଣି ଥିବାରୁ ପାଣି ଭିତରେ ବୁଡି ଯାଇଥିଲେ। ପରିବାର ଏବଂ ସମ୍ପର୍କୀୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି କୌଣସି ଖବର ମିଳି ନ ଥିଲା। ନିଖୋଜର ଦୁଇଦିନ ପରେ ଶୁକ୍ରବାର ପ୍ରାୟ ୧୦ଟା ସମୟରେ ତାଙ୍କର ମୃତ ଦେହ ଗାଁ ପୋଖରୀରେ ଭାସୁଥିବା ଲୋକମାନେ ଦେଖିଥିଲେ। ମୃତକଙ୍କର ଏକ ୧୩ ବର୍ଷର ଝିଅ ଏବଂ ୪ ବର୍ଷର ପୁଅ ଅଛି। ନନ୍ଦିପଦା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ବ୍ୟବଚ୍ଛେଦ କରାଇଛି। ୧୪/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: deadbodypond