ଭଦ୍ରକ,୨୩ା୧୧: ଭଦ୍ରକ ଜିଲା ବାଣ୍ଟ ଅଞ୍ଚଳର ଆପଣ୍ଡା ଗ୍ରାମର ଶ୍ରୀଧର ନାୟକ କରଣପଲ୍ଲୀ ପଞ୍ଚାୟତର ବିଜୟ ପାଟଣା ଗ୍ରାମର ରାମ ଚନ୍ଦ୍ର ମହାଳିକଙ୍କ ଝିଅ ମାମୁନିଙ୍କୁ ପ୍ରେମ ବିବାହ କରିଥିଲେ। କିଛିଦିନ ସୁରୁଖୁରୁରେ ଚଳିବା ପରେ ପାରିବାରିକ କଳହ ଯୋଗୁଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ବଢ଼ିଥିଲା। ଫଳରେ ମାମୁନି ବାପ ଘରକୁ ଫେରି ଆସିଥିଲେ। ଗ୍ରାମର ମୁଖ୍ୟମାନଙ୍କ ଉପସ୍ଥିତିରେ ଏକ ବୈଠକ ପରେ ଉଭୟଙ୍କୁ ଅଲଗା ରହିବାକୁ ନିଷ୍ପତ୍ତି ନିଆଯାଇଥିଲା।
ତେବେ, ଏହି ବିଚ୍ଛେଦ ପାଇଁ ମାମୁନିଙ୍କ ପରିବାରକୁ ଦାୟୀ କରି ଶ୍ରୀଧର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ତାଙ୍କର ଦୁଇଜଣ ସାଙ୍ଗଙ୍କ ସହ ଶ୍ୱଶୁର ରାମ ଚନ୍ଦ୍ର ମହାଳିକଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। ବୋମା ବିସ୍ଫୋରଣରେ ଘରର ଆଜବେଷ୍ଟସ୍ ଛାତର କିଛି ଅଂଶ ନଷ୍ଟ ହୋଇଯାଇଛି।
ରାମ ଚନ୍ଦ୍ରଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମହାଳିକ କହିଛନ୍ତି ଯେ ରାତି ପ୍ରାୟ ୧୨ଟା ବେଳେ ପ୍ରଥମ ବୋମା ମାଡ଼ ହୋଇଥିଲା ଏବଂ ସେମାନେ ତୁରନ୍ତ ପିଲାମାନଙ୍କ ସହ ଘରୁ ବାହାରି ଆସିଥିଲେ। ପରେ ଆହୁରି ତିନୋଟି ବୋମା ଫିଙ୍ଗାଯାଇଥିଲା। ପରିବାର ଲୋକଙ୍କ ପାଟି ଶୁଣି ଗ୍ରାମବାସୀମାନେ ବାହାରକୁ ଆସି ଦୌଡ଼ି ପଳାଉଥିବା ତିନିଜଣଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଶ୍ରୀଧର ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ତାଙ୍କର ଦୁଇ ସହଯୋଗୀଙ୍କୁ ମୋଟରସାଇକେଲ ସହ ଗାଁ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ।
ଖବର ପାଇ ବାଂଶଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶ୍ରୀଧରଙ୍କ ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଥାନାରେ ଏକ ଆନୁଷ୍ଠାନିକ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି। ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଶ୍ରୀଧରଙ୍କ ଶାଶୁ ଅନ୍ନପୂର୍ଣ୍ଣା ପୋଲିସକୁ ଅନୁରୋଧ କରିଛନ୍ତି।