କେନ୍ଦୁଝରରେ ଚାଞ୍ଚଲ୍ୟ: ଘର ବାରଣ୍ଡାରେ ଶୋଇଥିବାବେଳେ ମୁଣ୍ଡକୁ ହାଣି ହତ୍ୟା

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମରେ ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡକୁ ହାଣି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ନାମ ଭଦୃ ମହାକୁଡ(୫୫) ବୋଲି ଜଣାପଡିଛି। ହତ୍ୟାର କାରଣ ଏବେ ସ୍ପଷ୍ଟ ହୋଇ ନ ଥିବା ବେଳେ ଖବରପାଇ ପୋଲିସ ଆଜି ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଲିସ ବିଶେଷଜ୍ଞ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି। ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ବେଳେ ପରକୀୟା ପ୍ରୀତିରୁ ଏହି ହତ୍ୟା କାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି।

ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ କିଏ ଓ କାହିଁକି ହତ୍ୟା କରିଛି ତା’ର କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗତ ରାତି ପ୍ରାୟ ୩ଟା ରୁ ୪ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ପ୍ରକାଶ ଯେ ଘଟଗାଁ ଥାନା ଅଞ୍ଚଳ ଢେଙ୍କିକୋଟ ବିଟ ହାଉସ ଅନ୍ତର୍ଗତ ମେଦିନିପୁର ଗ୍ରାମର ଭଦୃ ମହାକୁଡ଼ ଗତ କାଲି ରାତିରେ ଖାଇ ପିଇ ନିଜ ଘର ବାରଣ୍ଡାରେ ଶୋଇଥିଲେ। ଆଜି ସକାଳେ ତାଙ୍କ ରକ୍ତାକ୍ତ ମୃତଦେହ ବାରଣ୍ଡାରେ ପଡ଼ିଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ।
ଖବର ପାଇ ଘଟଗାଁ ଏସଡିପିଓ ବିଜୟ କୃଷ୍ଣ ମହାପାତ୍ର, ଘଟଗାଁ ଥାନାଧିକାରୀ ଶୁଭ୍ରାନ୍ତ କୁମାର ଜେନା ସହ ପୋଳିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଡକାଯାଇଛି। ସୂଚନାଯୋଗ୍ୟ ଯେ ଭଦୃଙ୍କର ପୂର୍ବରୁ ପତ୍ନୀ ମୃତ୍ୟୁ ଘଟିଥିବା ବେଳେ ଝିଅ ବାହା ହୋଇ ସାରିଥିବା ଓ ପୁଅ ବାହାର ରାଜ୍ୟରେ ଚାକିରି କରୁଥିବାରୁ ସେ ଘରେ ଏକୁଟିଆ ରହିଥିଲେ। ଏନେଇ ଏସ ଡି ପି ଓ ଘଟଗାଁ ବିଜୟ କୃଷ୍ଣ ମହାପାତ୍ର କହିଛନ୍ତି ଯେ ଜଣକୁ ଅଟକ ରଖି ଅନୁସନ୍ଧାନ ଜାରି ରହିଛି। ଅତିଶୀଘ୍ର ହତ୍ୟାର ସଠିକ କାରଣ ଜଣାପଡ଼ିବ।

Share
Tags: odisha