ଗର୍ଭବତୀ ପତ୍ନୀଙ୍କୁ ହତ୍ୟା, ମୃତଦେହକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ସ୍ୱାମୀ ଗିରଫ

ହାଇଦ୍ରାବାଦ,୨୪।୮: ତେଲଙ୍ଗାନାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ଧରାପଡ଼ିବା ଘଟଣା ଆତଙ୍କ ଓ ଆକ୍ରୋଶ ସୃଷ୍ଟି କରିଛି। ଅଭିଯୁକ୍ତ ମହେନ୍ଦର ତାଙ୍କ ପତ୍ନୀଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ମୁସୀ ନଦୀରେ ଫିଙ୍ଗି ଦେଇଥିଲେ, କିନ୍ତୁ ତାଙ୍କ ଘରେ ମୃତଦେହର ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଛି। ମୃତା ସ୍ୱାତୀ (୨୧) ପାଞ୍ଚ ମାସର ଗର୍ଭବତୀ ଥିଲେ।

ଘଟଣାଟି ହାଇଦ୍ରାବାଦର ମେଦିପାଲ୍ଲୀ ଅଞ୍ଚଳର ବାଲାଜୀ ହିଲ୍ସରେ ଘଟିଛି। ବିକାରାବାଦ ଜିଲ୍ଲାର କାମାରେଡ୍ଡୀଗୁଡାର ସ୍ୱାତୀ ଓ ମହେନ୍ଦର ପ୍ରେମ ବିବାହ କରି ବାଲାଜୀ ହିଲ୍ସକୁ ସ୍ଥାନାନ୍ତରିତ ହୋଇଥିଲେ।

ପୋଲିସ କହିଛି, ଶନିବାର ଅପରାହ୍ନ ପ୍ରାୟ ୪:୩୦ରେ ରାଇଡ ହେଲିଂ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିବା ମହେନ୍ଦର ସ୍ୱାତୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି କିଛି ଅଂଶ ଫିଙ୍ଗି ଦେଇଥିଲେ। ପରେ ସେ ତାଙ୍କ ଭଉଣୀକୁ ଫୋନ କରି ପତ୍ନୀ ନିଖୋଜ ଥିବା କହିଥିଲେ। ସନ୍ଦେହ ହେବାରୁ ଭଉଣୀ ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ, ଯିଏ ମହେନ୍ଦରଙ୍କୁ ଥାନାକୁ ନେଇଥିଲେ। ଥାନାରେ ମହେନ୍ଦର ପ୍ରଥମେ ପତ୍ନୀ ନିଖୋଜ ବୋଲି ଦାବି କରିଥିଲେ, କିନ୍ତୁ ଜେରା ବେଳେ ହତ୍ୟାର କଥା ସ୍ୱୀକାର କରିଥିଲେ ବୋଲି ଡିସିପି (ମାଲକାଜଗିରି ଜୋନ) ପି ଭି ପଦ୍ମଜା କହିଛନ୍ତି।

ମହେନ୍ଦରଙ୍କୁ ଗିରଫ କରାଯାଇ ହେପାଜତରେ ରଖାଯାଇଛି। ପୋଲିସ ତାଙ୍କୁ ଜେରା କରୁଛି। ସ୍ୱାତୀଙ୍କ ମୁଣ୍ଡ, ହାତ ଓ ଗୋଡ଼ ମୁସୀ ନଦୀରେ ଫିଙ୍ଗାଯାଇଥିଲେ ମଧ୍ୟ ଡାଇଭରମାନେ ଏହା ଖୋଜି ପାଇନାହାଁନ୍ତି। ମୃତଦେହର ଧଡ଼ ତାଙ୍କ ଘରେ ଲୁଚାଯାଇଥିବା ଅବସ୍ଥାରେ ମିଳିଛି।

ଡିସିପି କହିଛନ୍ତି, “ଆମେ ଫରେନସିକ ପ୍ରମାଣ ସଂଗ୍ରହ କରିଛୁ। କେବଳ ମୃତାଙ୍କ ଧଡ଼ ମିଳିଛି। ମୃତଦେହର ପରିଚୟ ପାଇଁ ଡିଏନଏ ପରୀକ୍ଷା କରାଯିବ। ବିଏନଏସ ଧାରାରେ ମାମଲା ରୁଜୁ ହୋଇଛି ଏବଂ ଦ୍ରୁତ ତଦନ୍ତ ଓ ବିଚାର ପ୍ରକ୍ରିୟା ଆରମ୍ଭ ହେବ।”

ସ୍ୱାତୀଙ୍କ ବାପା କହିଛନ୍ତି, ତାଙ୍କ ଓ ଜ୍ୱାଇଁଙ୍କ ମଧ୍ୟରେ କିଛି ମତଭେଦ ଥିଲା, ଯେଉଁଥିପାଇଁ ସେମାନେ କଥାବାର୍ତ୍ତା ବନ୍ଦ କରିଥିଲେ। ସେ କହିଛନ୍ତି, “ମୋ ଝିଅ କହୁଥିଲା ସେମାନେ ଭଲ ଅଛନ୍ତି, କିନ୍ତୁ ସେ ତାକୁ ନିରନ୍ତର ନିର୍ଯାତନା ଦେଉଥିଲା। ଯେଉଁଭଳି ସେ ମୋ ଝିଅକୁ କଷ୍ଟ ଦେଇଛି, ତାକୁ ସେହିଭଳି ଦଣ୍ଡ ମିଳୁ।”

Share