ଯୁବକଙ୍କୁ ପିଟିଥିଲେ ସ୍ବାମୀ-ସ୍ତ୍ରୀ: ଜଣାପଡ଼ିଲା ପରେ…

ପାଟଣା,୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଉପରସାହିର ଭକ୍ତବନ୍ଧୁ ନାଏକଙ୍କ ପୁଅ ଗଙ୍ଗାଧର ନାଏକ(୨୮)ଙ୍କୁ ଗତ ବୁଧବାର ସାରେ ପଡୋଶୀ ଗାଁ ଆଙ୍କୁରା ଝାପାସାହିର ସୌମ୍ୟରଞ୍ଜନ ଏବଂ ତାଙ୍କ ସ୍ତ୍ରୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଗୁରୁବାର ସକାଳେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା। ଏନେଇ ବାପା ଭକ୍ତବନ୍ଧୁ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ରବିବାର ପାଟଣା ପୋଲିସ ସୌମ୍ୟରଞ୍ଜନ ପାତ୍ର (୨୦) ଏବଂ ତାଙ୍କ ସ୍ତ୍ରୀ ବିଜୁଳି ପାତ୍ର(୧୯)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ସ୍ବାମୀ-ସ୍ତ୍ରୀ ବୁଧବାର ସନ୍ଧ୍ୟାରେ ଗଙ୍ଗାଧରଙ୍କ ହାତଗୋଡ ବାନ୍ଧି ଆକ୍ରମଣ କରିଥିବା ପୋଲିସ ଆଗରେ ସ୍ବୀକାର କରିଥିବା ଏଏସ୍‌ଆଇ ଲକ୍ଷ୍ମଣ ମାଝି କହିଛନ୍ତି।

ପୋଲିସକୁ ସ୍ବାମୀ-ସ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ, ଘଟଣାର ୧୦ରୁ ୧୨ଦିନ ତଳେ ବିଜୁଳି ଘରେ ଏକୁଟିଆ ଥିବା ବେଳେ ଗଙ୍ଗାଧର ଘରକୁ ଆସି ସମ୍ପର୍କ ରଖିବା ପାଇଁ କହିଥିଲେ। ହେଲେ ବିଜୁଳି ଏଥିରେ ରାଜି ନ ହେବାରୁ ଗଙ୍ଗାଧର ଚାଲିଯାଇଥିଲେ।

ଗତ ବୁଧବାର ସାରେ ଗଙ୍ଗାଧର ଅଙ୍କୁରା ଝପାସାହି ଛକ ଏକ ଗ୍ରୋଷରୀ ଦୋକାନ ସମ୍ମୁଖରେ ବିଜୁଳିଙ୍କୁ ଦେଖିବାକୁ ପାଇଥିଲେ। ପରେ ଗଙ୍ଗାଧର ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଘଟଣା ସଂକ୍ରାନ୍ତରେ ସେ ସ୍ବାମୀଙ୍କୁ ଜଣାଇଥିଲେ। ଏଥିରେ ସୌମ୍ୟରଞ୍ଜନ ଉତ୍‌କ୍ଷିପ୍ତ ହୋଇ ଗଙ୍ଗାଧରଙ୍କୁ ଘର ଅଗଣାକୁ ଘୋଷାଡି ଆଣି ବାନ୍ଧି ଦେଇଥିଲେ। ପରେ ସ୍ବାମୀ-ସ୍ତ୍ରୀ ଗଙ୍ଗାଧରଙ୍କୁ ନିସ୍ତୁକ ମାଡ଼ମାରି ଆକ୍ରମଣ କରି ଫେରାର ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ଗଙ୍ଗାଧରଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷେ ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ଜମଧାପୁରସ୍ଥିତ ପାଟଣା ସଂରକ୍ଷିତ ଜଙ୍ଗଲରେ ଆତ୍ମଗୋପନ କରିଥିଲେ। ପରେ ସୋମାନେ ମାଧାପୁର ସ୍କୁଲରେ ଆଶ୍ରୟ ନେଇଥିବା ବେଳେ ଖବର ପାଇ ପାଟଣା ପୋଲିସ ଶନିବାର ରାତିରେ ଚଢାଉ କରି ସେମାନଙ୍କୁ କାବୁ କରିଥିଲା।

ଅଭିଯୁକ୍ତ ସ୍ବାମୀ-ସ୍ତ୍ରୀ ରବିବାର ପୋଲିସ ସମ୍ମୁଖରେ ଘଟଣା ସମ୍ପର୍କରେ ବୟାନ ରଖିଥିଲେ। ଏନେଇ ପାଟଣା ଥାନା ପୋଲିସ ଏକ ମାମାଲା(ନଂ.୧୭୫/୨୫) ରୁଜୁ କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ କହିଛନ୍ତି।