ଲାଇଭ୍‌ କ୍ରିକେଟ ମ୍ୟାଚ ସମୟରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବାରୁ, ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରିଦେଲେ ଲୋକ

ମାଙ୍ଗାଲୁରୁୁ,୨୯।୪: କର୍ଣ୍ଣାଟକର ମାଙ୍ଗାଲୁରୁ ସହରରେ ଏକ ସ୍ଥାନୀୟ କ୍ରିକେଟ ମ୍ୟାଚ ସମୟରେ ଜଣେ ବ୍ୟକ୍ତିଙ୍କୁ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକ ପିଟି ପିଟି ମାରି ଦେଇଛନ୍ତି। ଏହି ଘଟଣା ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ କୁଡୁପୁ ଅଞ୍ଚଳର ଭଟ୍ରା କାଲ୍ଲୁର୍ତି ମନ୍ଦିର ନିକଟରେ ଘଟିଛି।

ପୋଲିସ ସୂଚନା ଅନୁଯାୟୀ, ଅଜଣା ପରିଚୟର ଏହି ବ୍ୟକ୍ତି ମ୍ୟାଚ ଚାଲିଥିବା ସମୟରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିଲେ, ଯାହା ଦେଖି ଉପସ୍ଥିତ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ବାଡ଼ି ଓ ଲାତ ମାଡ଼ରେ ତାଙ୍କୁ ର୍ନିମମ ଭାବେ ପିଟାଯାଇଥିଲା। କିଛି ଦର୍ଶକ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ରକ୍ଷା କରି ପାରି ନଥିଲେ। ଘଟଣା ପରେ ତାଙ୍କ ମୃତଦେହ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିଲା।
ମାଙ୍ଗାଲୁରୁ ପୋଲିସ କମିଶନର ଅନୁପମ ଅଗ୍ରୱାଲ କହିଛନ୍ତି ଯେ, ପ୍ରାରମ୍ଭିକ ତଦନ୍ତରେ ଶରୀରରେ ବାହ୍ୟ ଆଘାତର ଚିହ୍ନ ମିଳି ନ ଥିଲା। କିନ୍ତୁ, ୱେନଲକ ଜିଲ୍ଲା ହସ୍ପିଟାଲରେ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ଅନ୍ତଃ ରକ୍ତସ୍ରାବ ଓ ବାରମ୍ବାର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି।

କର୍ନାଟକ ଗୃହମନ୍ତ୍ରୀ ଜି. ପରମେଶ୍ୱର ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଛି ଏବଂ ପୋଲିସ ସିସିଟିଭି ଫୁଟେଜ ଓ ମୋବାଇଲ ଟାୱାର ଡାଟା ଆଧାରରେ ଅଧିକ ଅଭିଯୁକ୍ତଙ୍କୁ ଖୋଜୁଛି। ଏହି ମାମଲା ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୨) ଅନୁଯାୟୀ ମବ ଲିଞ୍ଚିଂ ମାମଲା ଭାବେ ରୁଜୁ ହୋଇଛି, ଯେଉଁଥିରେ ଦୋଷୀ ସାବ୍ୟସ୍ତ ହେଲେ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ମିଳିପାରେ।