ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା ପରିସରରେ କାର୍ ପୂରାଇ ଦେଇଥିଲେ। ସେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତାଙ୍କ ଚାମ୍ବର ନିକଟକୁ ଯାଇ ଫାଟକ ବାହାରେ ଏକ ଫୁଲତୋଡ଼ା ରଖି ଖସି ପଳାଇଥିଲେ। କିଛି ଘଣ୍ଟାର ତଲାସି ଅଭିଯାନ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ କାର୍କୁ ଜବତ କରାଯାଇଛି। ଅଭିଯୁକ୍ତ ସରବଜିତ ସିଂ ବୋଲି ଜଣାପଡ଼ିଛି। ତାଙ୍କ କାର୍କୁ ରୁପ୍ନଗର ଅଞ୍ଚଳରୁ ଜବତ କରାଯାଇଛି।
ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ନିକଟରେ ଶେଷ ହୋଇଥିବାବେଳେ ଏକାଧିକ ବୋମା ଧମକ ଆସିବା ଲାଗି ରହିଛି। ଇତିମଧ୍ୟରେ କାର୍ ଜବରଦସ୍ତ ବିଧାନସଭା ପରିସରରେ ପଶିଯିବାକୁ ନେଇ ସୁରକ୍ଷା କର୍ମୀମାନେ ଭୟଭୀତ ହୋଇଯାଇଥିଲେ। କାର୍ରେ ଉତ୍ତରପ୍ରଦେଶର ରେଜିଷ୍ଟ୍ରେଶନ ନମ୍ବର ରହିଛି। ଅପରାହ୍ନ ପ୍ରାୟ ୨ଟା ବେଳେ ଉକ୍ତ ଟାଟା ସିଏରା କାର୍ଟି ୨ ନମ୍ବର ଗେଟ୍ ଅତିକ୍ରମ କରି ବିଧାନସଭା ପରିସରରେ ପ୍ରବେଶ କରିଥିଲା। ଏହାର ନମ୍ବର ପ୍ଲେଟ୍ରେ ୟୁପି-୨୬ ଏଜେଡ୍ ୮୦୯୦ ଲେଖାଯାଇଛି। ୨ ନମ୍ବର ଗେଟ୍ ଦେଇ ଭିଆଇପିମାନେ ପ୍ରବେଶ କରୁଥିବାବେଳେ ସେଠାରେ ସୁରକ୍ଷା ଦାୟିତ୍ୱରେ ସିଆର୍ପିଏଫ୍ ଯବାନ ମୁତୟନ ଥିଲେ। ଏହା ସତ୍ତ୍ୱେ କାର୍ କିପରି ଭିତରେ ପ୍ରବେଶ କରି ଖସି ପଳାଇବାକୁ ସକ୍ଷମ ହେଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଭିଯୁକ୍ତ ଜଣକ ବାଚସ୍ପତିଙ୍କ କାର୍ ଉପରକୁ ଶ୍ୟାହି ଫିଙ୍ଗିଥିବା ଜଣାପଡ଼ିଛି। ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ମଧ୍ୟ ବିସ୍ଫୋରକ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ ପଦାର୍ଥ ମିଳିନାହିଁ।