ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ, ହତ୍ୟା ଧମକ: ଅଭିଯୁକ୍ତ ଯୁବକ ଗିରଫ

ଦେବଗଡ,୨୫।୨(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ସହିତ ହତ୍ୟା ଧମକ ଅଭିଯୋଗରେ କୁଣ୍ଢେଇଗୋଳା ଥାନା ପୋଲିସ କୋରଡପୋଶି ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୨ ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ ସମୟରେ କୁଣ୍ଢେଇଗୋଳା ଥାନା କୋରଡପୋଶି ଗ୍ରାମର ଭୂବନାନନ୍ଦ ପେଂଣ୍ଠେଇ(୨୪) ନିଜ ସ୍ତ୍ରୀକୁ ଘରେ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରି ଗାଁ ଦାଣ୍ଡରେ ଯାଉଥିବା ସମୟରେ ତାଙ୍କର ସମ୍ପର୍କୀୟ ଉକ୍ତ ଗ୍ରାମର ପତି ନାୟକ(୬୪)ଙ୍କ ଘର ଆଡକୁ ଆସୁଥିଲେ। ତେବେ ପତି ଓ ତାଙ୍କ ସ୍ତ୍ରୀ ଶ୍ରୀମତି ନାୟକ ଭୂବନାକୁ ମନା କରିବାରୁ ଭୁବନା ସେମାନଙ୍କ କଥାକୁ ମାନିବା ପରିବର୍ତ୍ତେ ତାଙ୍କ ଘରକୁ ପଶିଯାଇ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କେବଳ ଏତିକି ନୁହେଁ , ଭୂବନା ସେମାନଙ୍କୁ ହତ୍ୟା ଧମକ ଦେବା ସହ ବାହାରେ ଶଗଡ ଗାଡିରେ ଲାଗିଥିବା ଏକ ଲୁହା ଆଣି ପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାଦେଖି ପତିଙ୍କ ସ୍ତ୍ରୀ ଶ୍ରୀମତି ଭୂବନାକୁ ମନା କରିବାରୁ ଭୂବନା ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଫଳରେ ଭୂବନାର ଆକ୍ରମଣରେ ପତିଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହେବା ସହ ସ୍ତ୍ରୀ ଶ୍ରୀମତି ମଧ୍ୟ ଆହତ ହୋଇଛନ୍ତି। ଏହି ସମୟରେ ପତିଙ୍କ ପଡୋଶୀ ଲକ୍ଷ୍ମଣ ନାୟକ ସେଠାରେ ପହଞ୍ଚି ଆକ୍ରମଣ ନ କରିବାକୁ ଭୂବନାଙ୍କୁ ବୁଝାଇବାରୁ ଭୂବନା ତାଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଧମକ ଦେଇଥିଲେ। ଆହତ ପତି ସ୍ତ୍ରୀ ଶ୍ରୀମତି ଡାକ୍ତରଖାନାରେ ଚିକିତ୍ସିତ ହେବାପରେ ଏନେଇ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିଲା । ତେବେ ଅଭିଯୁକ୍ତ ଭୁବନାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Dharitri – Odisha’s No.1 Odia Daily

Share