ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video…

ନୂଆଦିଲ୍ଲୀ,୧୦।୨:  ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ନୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀ ଦିଆଯିବା ପରେ କିନ୍ନର ଆଖଡ଼ାରେ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ସେ ଏହି ନିଷ୍ପତ୍ତି ନେଇଥିବା ନେଇ ଏକ ଭିଡିଓ ଜାରି କରି ଘୋଷଣା କରିଛନ୍ତି।
୧୦ କୋଟି ଟଙ୍କା ଦେଇ ଏହି ପଦବୀ ନେଇଥିବା ମମତା କୁଲକର୍ନିଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହି କାରଣରୁ, ତାଙ୍କର ବିରୋଧ ଅଖାଡ଼ାରେ ହିଁ ଆରମ୍ଭ ହୋଇଗଲା। ତାଙ୍କୁ ପଦରୁ ହଟାଇବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ହେଲେଏବେ ସେ ନିଜେ ତାଙ୍କ ପଦବୀ ଛାଡିବା ନେଇ ଘୋଷଣା କରିଛନ୍ତି।
ଭିଡିଓରେ ମମତା କହିଛନ୍ତି, ମୁଁ ମହାମଣ୍ଡଳେଶ୍ୱର ଯମାୟୀ ମାତା ଗିରି ଏହି ପଦବୀରୁ ଇସ୍ତଫା ଦେଉଛି। ଆଖଡ଼ାରେ ମୋତେ ମହାମଣ୍ଡଳେଶ୍ୱର ଘୋଷଣା କରିବାରେ ଅସୁବିଧା ହେଉଛି। ମୁଁ ୨୫ ବର୍ଷ ଧରି ସାଧ୍ୱୀ ହୋଇ ଆସିଛି ଏବଂ ସାଧ୍ୱୀ ହୋଇ ରହିବି। ମୁଁ ୨୫ ବର୍ଷ ପୂର୍ବେ ବଲିଉଡ୍‌ ଛାଡିଥିଲି। ତା’ପରେ ନିଜେ ଗାଏବ ହୋଇଯାଇଥିଲି। ନଚେତ ବଲିଉଡ ଏବଂ ମେକଅପ୍‌ଠାରୁ ଏତେ ଦୂରରେ କିଏ ରୁହେ? ବୋଲି ସେ କହିଛନ୍ତି।
ବଲିଉଡ ଛାଡିବା ପରେ, ମମତା ଦୁବାଇରେ ରହୁଥିଲେ।  ସେ ୨୫ ବର୍ଷ ପରେ ଗତ ବର୍ଷ ଦୁବାଇରୁ ଭାରତ ଫେରି ଆସିଥିଲେ। ପରେ ନୂତନ ବର୍ଷ ଆରମ୍ଭ ହେବା ମାତ୍ରେ, ସେ ତାଙ୍କର ସାଧ୍ୱୀ ହେବା ନେଇ ଘୋଷଣା କରିଥିଲେ। ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ସମୟରେ, ସେ କିନ୍ନର ଆଖଡ଼ାରୁ ଦୀକ୍ଷା ନେଇଥିଲେ ଏବଂ ସନ୍ୟାସୀ ହୋଇଥିଲେ।ତାଙ୍କର ପିଣ୍ଡଦାନ ଏବଂ ପଟ୍ଟାଭିଷେକ ମହାମଣ୍ଡଳେଶ୍ୱର ଡାକ୍ତର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କରିଥିଲେ। ତାଙ୍କୁ ମହାମଣ୍ଡଳେଶ୍ୱର ପଦବୀ ଦିଆଯାଇଥିଲା। କିନ୍ତୁ କିଛି ଦିନ ପରେ, ସେ ବିରୋଧର ସମ୍ମୁଖୀନ ହୋଇ ଇସ୍ତଫା ଘୋଷଣା କରିଛନ୍ତି।

Share
Tags: Mamata