ଝୁଲା ବିଧାନସଭା ହେଲେ ଏନ୍‌ଡିଏକୁ ଫେରିବେ ମମତା

କୋଲକାତା, ୧।୩: ପଶ୍ଚିମବଙ୍ଗ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଯଦି ଝୁଲା ବିଧାନସଭା ହୁଏ ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗଢ଼ିବା ପାଇଁ ପୁନର୍ବାର ଭାଜପା ହାତ ଧରିବେ ବୋଲି ରବିବାର ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। ତେଣୁ ଭାଜପା-ଆର୍‌ଏସ୍‌ଏସ୍‌ ସାମ୍ପ୍ରଦାୟିକ ସୁବିଧାବାଦୀଙ୍କୁ ରୋକିବାକୁ ହେଲେ ପ୍ରଥମେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ହରାଇବାକୁ ହେବ ବୋଲି ସେ ମତ ଦେଇଛନ୍ତି। ପଶ୍ଚିମବଙ୍ଗରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ଚାଲିଥିବା ଲଢ଼େଇ କେବଳ ଲୋକଦେଖାଣିଆ। ନିର୍ବାଚନ ସମୟରେ ଭାଜପା ପିଏମ୍‌ କେୟାର ପାଣ୍ଠିରେ ନେତାଙ୍କୁ କିଣୁଥିବା ୟେଚୁରୀ ଅଭିଯୋଗ କରିଛନ୍ତି। ବାମଦଳ ଓ ଧର୍ମନିରପେକ୍ଷ ଶକ୍ତିର ମହାମେଣ୍ଟ ପଶ୍ଚିମବଙ୍ଗରେ ଦୁର୍ନୀତିଗ୍ରସ୍ତ ଟିଏମ୍‌ସି ସରକାର ଏବଂ ଭାଜପାକୁ ପରାଜିତ କରିବ। ଏହା ପଶ୍ଚିମବଙ୍ଗର ଉନ୍ନତି ପାଇଁ ଲଢ଼େଇ କରିବ ବୋଲି କୋଲକାତାର ବ୍ରିଗେଡ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡଠାରେ ଏକ ମିଳିତ ରାଲିକୁ ସମ୍ବୋଧନ କରି ସିପିଏମ୍‌ ନେତା କହିଛନ୍ତି।

ପଶ୍ଚିମବଙ୍ଗ ଏଡିଜିଙ୍କୁ ବଦଳାଇଲେ ଇସି

ପଶ୍ଚିମବଙ୍ଗରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଦିନକ ପରେ ନିର୍ବାଚନ କମିଶନ ଶନିବାର ସେଠାର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି ଆଇନ ଶୃଙ୍ଖଳା) ଜାଓ୍ବେଦ ଶାମିମ୍‌ଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ଅଗ୍ନିଶମ ମହାନିର୍ଦ୍ଦେଶକ ଜଗମୋହନଙ୍କୁ ନିଯୁକ୍ତି ଦିଆଯାଇଛି। ଆଇନ ଶୃଙ୍ଖଳା ଏଡିଜି ହେଉଛନ୍ତି ରାଜ୍ୟ ପୋଲିସ ନୋଡାଲ ଅଫିସର, ଯିଏ ପୋଲିସ ସମ୍ପର୍କିତ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ସହ ସମନ୍ବୟ ରକ୍ଷା କରିଥାନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଦୁଇଜଣ ସ୍ବତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ମୃଣାଳ କାନ୍ତି ଦାସ ପହଞ୍ଚତ୍ବା ପୂର୍ବରୁ ଏଡିଜିଙ୍କ ବଦଳି କରାଯାଇଛି। ମାତ୍ର ୩ ସପ୍ତାହ ପୂର୍ବରୁ ଶାମିମ୍‌ଙ୍କୁ ଆଇନ ଶୃଙ୍ଖଳା ଏଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ସେ ଅଗ୍ନିଶମ ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହା ପଛରେ ରାଜନୈତିକ ଗନ୍ଧ ଥିବା ତୃଣମୂଳ କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଭାଜପା ଏମ୍‌ପି ସ୍ବପନ ଦାସଗୁପ୍ତା ଏବଂ ବେଙ୍ଗଲ ନେତା ଶିଶିର ବାଜୋରିଆ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ଏଡିଜିଙ୍କ ବଦଳି କରାଯାଇଥିବା ଟିଏମ୍‌ସି ଏମ୍‌ପି ସୌଗତ ରାୟ କହିଛନ୍ତି।