ରାଷ୍ଟ୍ରପତି ଛିଡ଼ା ହୋଇଥିବା ବେଳେ ଆପଣ କାହିଁକି ବସିଛନ୍ତି?…ଫଟୋ ଦେଖାଇ PM ମୋଦିଙ୍କ ଉପରେ ବର୍ଷିଲେ ମମତା

କୋଲକାତା,୮।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। କୋଲକାତାରେ ଆୟୋଜିତ ଏକ ମଞ୍ଚରୁ ମମତା ଏକ ଫଟୋ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି।

ମମତା ବାନାର୍ଜୀ ଏକ ଫଟୋ ଦେଖାଇ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି, ଏହା ଆପଣଙ୍କ ପାଇଁ। ମୁଁ ଆପଣଙ୍କୁ ଏକ ଫଟୋ ଦେଖାଉଛି। ଆପଣ କ’ଣ ଜଣେ ମହିଳା ତଥା ଆଦିବାସୀ ନେତ୍ରୀ ଭାବେ ରାଷ୍ଟ୍ରପତି ମୁର୍ମୁଙ୍କୁ ସମ୍ମାନ କରନ୍ତି? ଯେତେବେଳେ ରାଷ୍ଟ୍ରପତି ଠିଆ ହୋଇଛନ୍ତି, ଆପଣ କାହିଁକି ବସିଛନ୍ତି? ଏହି ଫଟୋ ହିଁ ପ୍ରମାଣ ଦେଉଛି କିଏ ସମ୍ମାନ କରେ ଆଉ କିଏ ନୁହେଁ। ଆମେ ପ୍ରତିଟି ସମ୍ମାନଜନକ ପଦବୀକୁ ସମ୍ମାନ ଦେଇଥାଉ।”

ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ନେଇ ମମତା ସ୍ପଷ୍ଟ କରିଛନ୍ତି ଯେ, ସେହି କାର୍ଯ୍ୟକ୍ରମ କୌଣସି ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ନଥିଲା, ବରଂ ଏକ ଘରୋଇ ସଂସ୍ଥା ଦ୍ୱାରା ଆୟୋଜିତ ହୋଇଥିଲା। ରାଜ୍ୟ ସରକାର ପୂର୍ବରୁ ଚିଠି ଲେଖି ଜଣାଇଥିଲେ ଯେ, ସମ୍ପୃକ୍ତ ସଂସ୍ଥା ପାଖରେ ରାଷ୍ଟ୍ରପତିଙ୍କ ସ୍ତରର କାର୍ଯ୍ୟକ୍ରମ କରିବାର କ୍ଷମତା ନାହିଁ। କାର୍ଯ୍ୟକ୍ରମରେ ଭିଡ଼ ନ ହେବା ଏବଂ ଗ୍ରୀନ ରୁମ ବ୍ୟବସ୍ଥା ଖରାପ ହେବା ପାଇଁ ଆୟୋଜକ ଏବଂ ’ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ’ ଦାୟୀ। ଗ୍ରୀନ ରୁମ ଏବଂ ୱାଶରୁମ ସମସ୍ୟା ଉପରେ ସେ କହିଛନ୍ତି ଯେ, ସେହି ଅଞ୍ଚଳ ଏୟାରପୋର୍ଟ ଅଥରିଟି ଅଧୀନରେ ଆସୁଛି, ଯାହା କେନ୍ଦ୍ର ସରକାରଙ୍କ ଅଧୀନ।

ମମତା ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ କେବଳ ନିର୍ବାଚନ ସମୟରେ ବାଉରି, ବାଗଡ଼ି, ଲୋଧା, ସାନ୍ତାଳ ଏବଂ ରାଜବଂଶୀ ସମୁଦାୟ କଥା ମନେ ପକାନ୍ତି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ସବୁବେଳେ ବଙ୍ଗଳାକୁ ଅପମାନିତ କରନ୍ତି। ଆମେ ସମ୍ବିଧାନକୁ ମା’ ଭଳି ସମ୍ମାନ କରୁ। କେବଳ ନିର୍ବାଚନ ଆସୁଥିବାରୁ ଆପଣ ଆମ ଉପରେ ଦୋଷ ଲଦୁଛନ୍ତି।”

ମମତା ବାନାର୍ଜୀ କହିଛନ୍ତି ଯେ, ସେ ସେହି ସମୟରେ ଲୋକଙ୍କ ଅଧିକାର ପାଇଁ ଧାରଣାରେ ବସିଥିଲେ। “ଆମ ମେୟର ସେଠାରେ ଉପସ୍ଥିତ ଥିଲେ। ମୁଁ ଧାରଣାରେ ବସିଥିଲି, ଏହାକୁ କେମିତି ଛାଡ଼ି ଯାଇଥାନ୍ତି? ମୁଁ ଲୋକଙ୍କ ଭୋଟ ଅଧିକାର ପାଇଁ ଲଢ଼ୁଛି। ଆମେ ସମସ୍ତଙ୍କୁ ଭଲ ପାଉ, ସେ ହିନ୍ଦୁ ହୁଅନ୍ତୁ ବା ମୁସଲମାନ, ଶିଖ ହୁଅନ୍ତୁ ବା ଖ୍ରୀଷ୍ଟିଆନ।” ଶେଷରେ ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରିବା ନେଇ ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିବା ଅନୁଚିତ। ଆମେ ପିଲାଦିନୁ ଏହି ଦିବସ ପାଳନ କରିଆସୁଛୁ ଏବଂ ହଜାର ଥର ପାଳନ କରିବୁ।

Dharitri – Odisha’s No.1 Odia Daily

Share