ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ସନ୍ତାନଙ୍କ ବୋଝ: ଭାଙ୍ଗିପଡ଼ିଛନ୍ତି ମମତା

କର୍ଲାମୁଣ୍ଡା,୨୭।୫(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁରେ କିଡନୀ ଜନିତ ସମସ୍ୟା ଯୋଗୁ ୧୪ରୁ ଊଦ୍ଧର୍‌ବ ବ୍ୟକ୍ତି ମୃତ୍ୟୁବରଣ କରିସାରିଥିବାବେଳେ ଏବେ ବି ୧୯ରୁ ଊଦ୍ଧର୍‌ବ ମହିଳା ପୁରୁଷ ମୃତ୍ୟୁସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଛି। ଏହି ଗାଁର ମାଡ୍ରାସ ଭୋଇ (୪୫) ଡ୍ରାଇଭର କାମ କରି ସ୍ତ୍ରୀ ମମତା ଭୋଇ(୪୦)ଦୁଇ ସନ୍ତାନ ଝିଅ ଡୋଲେଶ୍ୱରୀ ଭୋଇ (୧୮), ପୁଅ ଦେବ ଭୋଇ (୧୩)ଙ୍କୁ ନେଇ ହସଖୁସିରେ ପରିବାର ଚଳେଇ ନେଉଥିଲେ। ତେବେ ସେ କିଡନୀ ସମସ୍ୟାରେ ପୀଡିତ ହେବା ପରେ ମମତା ବନ୍ଧୁବାନ୍ଧବଙ୍କଠାରୁ ଧାରକରଜ କରି ସ୍ବାମୀଙ୍କ ସ୍ବାସ୍ଥ୍ୟ ଠିକ କରିବାକୁ ବୁର୍ଲା, ବଲାଙ୍ଗୀର ଭଳି ଅନେକ ଡାକ୍ତରଖାନାରେ ଚିକିତ୍ସା କରେଇ ଥିଲେ। ହେଲେ ଗତ ମାର୍ଚ୍ଚ ୧୬ରେ ମାଡ୍ରାସ ଭୋଇଙ୍କ ମୃତ୍ୟୁ ଘଟିଥିଲା। ଏପରିସ୍ଥଳେ ରୋଜଗାରିଆ ସ୍ବାମୀଙ୍କୁ ହରେଇ ମମତା ଏବେ ଭାଙ୍ଗି ପଡିଛନ୍ତି। ସେ କେମିତି ରୋଜଗାର କରିବେ ଓ ତାଙ୍କର ଦୁଇ ସନ୍ତାନଙ୍କୁ କିଭଳି ଭଲପାଠ ପଢେଇବେ ସେ ନେଇ ଏବେ ଚିନ୍ତାରେ ଥିବା ମମତା କହିଛନ୍ତି। ଏନେଇ ସରପଞ୍ଚ ଅରବିନ୍ଦ ଗହୀରଙ୍କୁ ପଚରାଯିବାରୁ ସରକାରଙ୍କ ଯାହା ବ୍ୟବସ୍ଥା ରହିଛି, ସେ ସବୁ ଏହି ପରିବାରକୁ ଯୋଗେଇ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ଜିଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ଏହି ପରିବାରକୁ ସରକାରୀ ଆର୍ଥିକ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।