Categories: Home Leftଖେଳ

ପୁରୁଷ ୪X୧୦୦ମି. ରିଲେରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨।୯ (ତପନ ସ୍ବାଇଁ): ବେଙ୍ଗାଲୁରୁର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଚାଲିଥିବା ୬୩ତମ ଜାତୀୟ ଓପନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ରବିବାର ଅନୁଷ୍ଠିତ ପୁରୁଷ ୪X୧୦୦ ମିଟର ରିଲେରେ ଓଡ଼ିଶା ସ୍ବର୍ଣ୍ଣ ପଦକ ହାସଲ କରିଛି। ଅବିନାଶ ସାହୁ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଅମିୟ ମଲିକଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୩୯.୬୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛି। ରେଲଓ୍ବେ ସ୍ପୋଟର୍‌ସ ଟିମ୍‌ ୩୯.୮୨ ଓ ସର୍ଭିସେସ ସ୍ପୋଟର୍‌ସ କଣ୍ଟ୍ରୋଲ ବୋର୍ଡ (ଏସ୍‌ଏସ୍‌ସିବି) ଦଳ ୩୯.୯୯ ସେକେଣ୍ଡ ସମୟ ସହିତ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି। କେରଳ ରାଜସ୍ଥାନ, ତାମିଲନାଡ଼ୁ, ଝାଡ଼ଖଣ୍ଡ ଓ ଛତିଶଗଡ଼ ଦଳ ଯଥାକ୍ରମେ ୪ର୍ଥରୁ ୮ମ ସ୍ଥାନ ପାଇଛନ୍ତି। ଲାଲୁ ପ୍ରସାଦ ଭୋଇ ଗୋଟିଏ ଦିନ ପୂର୍ବରୁ ପୁରୁଷ ୧୦୦ ମିଟରରେ ୧୦.୪୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଅର୍ଥାତ୍‌ ସେ ଏହି ପ୍ରତିଯୋଗିତାରୁ ଡବଲ ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ମହିଳା ୪X୧୦୦ ମିଟର ରିଲେରେ ଓଡ଼ିଶା ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛି। ଶ୍ରାବଣୀ ନନ୍ଦ, ମେରୀମୁକ୍ତା ସୋରେଙ୍ଗ, ସୁଖୀ ବାସ୍କେ ଓ ବିନତି ବେହେରାଙ୍କୁ ନେଇ ଗଠିତ ଓଡ଼ିଶା ଦଳ ୪୫.୯୩ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିଛି। କର୍ନାଟକ ଦଳ ୪୫.୨୧ ଓ ରେଲଓ୍ବେ ସ୍ପୋଟର୍‌ସ ଦଳ ୪୫.୨୯ ସେକେଣ୍ଡ ସହିତ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛି। ତାମିଲନାଡ଼ୁ ଓ ପଞ୍ଜାବ ଦଳକୁ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନ ମିଳିଛି।
ମହିଳା ୨୦୦ ମିଟର ରେସ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି ଶ୍ରାବଣୀ ନନ୍ଦ। ହିଟ୍‌-୩ରେ ରେସ୍‌ କରିଥିବା ଶ୍ରାବଣୀ ୨୪.୫୦ ସେକେଣ୍ଡ ସମୟ ନେଇ ଅନ୍ୟ ୭ ପ୍ରତିଯୋଗୀଙ୍କ ସହ ଫାଇନାଲ ପାଇଁ ଯୋଗ୍ୟତା ପାଇଛନ୍ତି। ମଧ୍ୟପ୍ରଦେଶର ମଧୁମିତା ଦେବ (୨୪.୨୪), ଗୁଜରାଟର ଦେଭ୍ୟାନିବା ଜାଲା (୨୪.୩୫), ରେଲଓ୍ବେ ସ୍ପୋଟର୍‌ସର ନିଥ୍ୟା ଗାନ୍ଧେ (୨୪.୦୫), କର୍ନାଟକର କାବେରି ପାଟିଲ (୨୪.୧୬), ହରିୟାଣାର ନାନ୍‌ସି (୨୩.୯୪), ହିମାଚଳ ପ୍ରଦେଶର ସମ୍ରିତି ଜମଓ୍ବାଲ (୨୪.୦୮) ଓ ରାଜସ୍ଥାନର ଅନ୍ତାକ୍ଷରୀ (୨୪.୯୫) ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଲଙ୍ଗଜମ୍ପର ଫାଇନାଲକୁ ଉନ୍ନୀତ ହୋଇଥିଲେ ହେଁ ଓଡ଼ିଶାର ସରୁନ ପାୟାସିଂ ୭.୫୫ ମିଟର କ୍ଲିୟର କରିପାରି ୫ମ ସ୍ଥାନରେ ରହିଛନ୍ତି। ରେଲଓ୍ବେ ସ୍ପୋଟର୍‌ସର ଆର୍ଯ୍ୟ ଏସ. (୭.୮୯), କେରଳର ମହମ୍ମଦ ୟାହିୟା (୭.୭୮) ଓ ପଞ୍ଜାବର ଜଗରୂପ (୭.୬୫) ପ୍ରଥମ ତିନିସ୍ଥାନ ଅଧିକାର କରିଛନ୍ତି। ଶନିବାର ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା ୧୦୦ ମିଟର ହର୍ଡଲ୍ସରେ ୧୩.୪୫ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ଜିତିଥିଲେ। ଉଭୟ ଲାଲୁ ଓ ପ୍ରଜ୍ଞା କିଟ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି ଏବଂ ଓଡ଼ିଶା ରିଲାଏନ୍ସ ହାଇପରଫର୍ମାନ୍ସ ସେଣ୍ଟରର ଅଂଶବିଶେଷଭାବେ କୋଚ୍‌ ରୋହିତ ମାନେଙ୍କଠାରୁ କୋଚିଂ ନେଉଛନ୍ତି।