ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍ରେ ଫସି ରହିଥିବା ଭାରତର ଦୁଇଟି ଏଲ୍ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ବାହାରିବାକୁ ଇରାନ ଅନୁମତି ଦେଇଛି। ଏହି ଘଟଣାର କିଛି ଘଣ୍ଟା ପୂର୍ବରୁ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫତହାଲି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଆଗାମୀ ୨-୩ ଘଣ୍ଟା ମଧ୍ୟରେ ଭାରତ ପାଇଁ ଭଲ ଖବର ଆସିବ।
ବର୍ତ୍ତମାନ ଭାରତର ବିଭିନ୍ନ ଅଞ୍ଚଳରେ ଏଲପିଜି ସିଲିଣ୍ଡର ପାଇଁ ଲୋକଙ୍କ ମଧ୍ୟରେ ହାହାକାର ଦେଖିବାକୁ ମିଳିଛି। ଗ୍ୟାସ ଏଜେନ୍ସିଗୁଡ଼ିକ ସମ୍ମୁଖରେ ଶତାଧିକ ଲୋକ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ଇରାନର ଏହି ପଦକ୍ଷେପ ଦ୍ୱାରା ଦେଶକୁ ଗ୍ୟାସ ଯୋଗାଣ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।
ରାଷ୍ଟ୍ରଦୂତ ଫତହାଲି ଭାରତକୁ ଇରାନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତ ଯେ, ଭାରତ ଓ ଇରାନ ହେଉଛନ୍ତି ପୁରାତନ ବନ୍ଧୁ ଏବଂ ଏହି ଅଞ୍ଚଳରେ ଉଭୟ ଦେଶର ସୱାର୍ଥ ସମାନ। କଷ୍ଟ ସମୟରେ ଏବଂ ଯୁଦ୍ଧ ପରବର୍ତ୍ତୀ ପରିସ୍ଥିତିରେ ଭାରତ ସରକାର ଇରାନକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି। ତେଣୁ ସୁରକ୍ଷିତ ଜଳପଥ ଯୋଗାଇଦେବା ଆମର କର୍ତ୍ତବ୍ୟ।
ସୂଚନାଯୋଗ୍ୟ, ହୋର୍ମୁଜ ଷ୍ଟ୍ରେଟ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ବିଶ୍ୱର ମୋଟ ତୈଳ ଏବଂ ଗ୍ୟାସ ରପ୍ତାନିର ଏକ ବଡ଼ ଭାଗ ଏହି ପତଳା ଜଳପଥ ଦେଇ ଯାଇଥାଏ। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ କାରଣରୁ ଏହି ରୁଟ୍ରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା, ଯାହାର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ଇରାନର ଏହି ସହଯୋଗ ଭାରତର ଶକ୍ତି ସୁରକ୍ଷା ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି।