ଶ୍ରୀନଗର,୧୫।୧୧: ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମ ପୋଲିସ ଷ୍ଟେଶନ ଭିତରେ ଏକ ବଡ଼ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। କୋଠାଟି ମଧ୍ୟ ବହୁତ କ୍ଷତିଗ୍ରସ୍ତ ହୋଇଛି। ପୋଲିସ ଷ୍ଟେଶନ ପରିସରରେ ଜବତ ଆମୋନିୟମ ନାଇଟ୍ରେଟ ଗଚ୍ଛିତ ଥିବା ରିପୋର୍ଟ କରାଯାଉଛି, ଯାହାର ଫରେନସିକ ଦଳ ତଦନ୍ତ କରୁଛି। ଏହି ଆମୋନିୟମ ନାଇଟ୍ରେଟ ଯୋଗୁ ବଡ଼ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି।
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହିତ ଜମ୍ମୁ କାଶ୍ମୀରର ସଂଯୋଗ ଜଣାପଡ଼ିବା ପରେ, ସେଠାରେ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀମାନଙ୍କୁ ନୌଗାମ ପୋଲିସ ଷ୍ଟେଶନ ପରିସରରେ ପଚରାଉଚରା କରାଯାଉଥିଲା। ଏହି ସମୟ ମଧ୍ୟରେ, ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିସ୍ଫୋରଣରେ ଅନେକ ପୋଲିସ ଆହତ ହୋଇଥିବା ଜଣାପଡ଼ିଛି।
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ପରେ ଏହା ଆଉ ଏକ ବଡ଼ ବିସ୍ଫୋରଣ। ନୌଗାମ ପୋଲିସ ଷ୍ଟେସନ କମ୍ପ୍ଲେକ୍ସ ହେଉଛି ଜୈଶ-ଏ-ମହମ୍ମଦର ‘ହ୍ବାଇଟ-କଲର’ ଆତଙ୍କୀ ମଡ୍ୟୁଲ ତଦନ୍ତର କେନ୍ଦ୍ର। ଏହି ପୋଲିସ ଷ୍ଟେଶନ ବିମାନବନ୍ଦର ଅଞ୍ଚଳ ନିକଟବର୍ତ୍ତୀ ମଧ୍ୟ।