ତୁମୁଡିବନ୍ଧ,୧୮।୮(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତର ମନରେଗାର ମୋ ଉପକାରୀ ବଗିଚାର ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି ଶତାଧିକ ମହିଳା ତୁମୁଡି଼ବନ୍ଧ ବ୍ଲକ କାର୍ଯ୍ୟାଳୟକୁ ଆସି ବ୍ଲକ ଘେରାଉ କରିବା ସହ ବିଲାମାଳ ସରପଞ୍ଚଙ୍କୁ ବ୍ଳକ କାର୍ଯାଳୟ ଅଫିସ ଭିତରେ ତାଲା ପକାଇଥିବା ଦେଖିବାକୁ ମିଳିଛି। ଯାହାଫଳରେ ସରକାରୀ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇ ଯାଇଛି।
ସୂଚନା ଅନୁସାରେ, ୨୨/୨୩ ଆର୍ଥିକ ବର୍ଷରେ ପଞ୍ଚାୟତକୁ ଏମଜିଏନଆରଇଜିଏସରେ ବିଲାମାଳ, ଧୂଡସି, ଖଡ଼ପଙ୍କା ଜିପିଏଲଏଫ ମହିଳା ସ୍ବୟଂ ସହାୟକା ଗୋଷ୍ଠୀକୁ ୧୮୦ଟି ମୋ ଉପକାରୀ ବଗିଚାର ପ୍ରକଳ୍ପ ମଞ୍ଜୁର ହୋଇଛି। ଉକ୍ତ ପ୍ରକଳ୍ପଗୁଡ଼ିକ ବାବଦରେ କୌଣସି ସୂଚନା ମହିଳା ସ୍ବୟଂ ସହାୟକା ଗୋଷ୍ଠୀଙ୍କୁ ଜଣା ନ ଯାଇ ତାହା ପଞ୍ଚାୟତ ନିର୍ବାହୀ ଅଧିକାରୀ ଉକ୍ତ ପ୍ରକଳ୍ପ ଗୁଡ଼ିକର ପ୍ରାୟ ୩୦ ଲକ୍ଷ ଅର୍ଥ ଉଠାଇ ହଡ଼ପ ହୋଇଥିବା ସୂଚନା ପାଇଥିଲେ।
ଏହା ପରେ ମହିଳା ସ୍ବୟଂ ସହାୟିକାମାନେ ମୋ ଉପକାରୀ ବଗିଚା କରା ନ ଯାଇ କାହିଁକି ଅର୍ଥ ଆତ୍ମସାତ କରାଗଲା ବୋଲି ବିକ୍ଷୋଭ କରିବା ସହିତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ସରପଞ୍ଚଙ୍କୁ ବ୍ଳକ କାର୍ଯ୍ୟାଳୟ ଭିତରେ ତାଲା ପକାଇ ଥିଲେ ଶତାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଏହି ବାବଦରେ ପଂଚାୟତ ଫେଡରେଶନର ସଭାପତି ଦେବକୀ ବିଜୁଳି ସେଠ କହିଛନ୍ତି, ମହିଳାମାନଙ୍କୁ ସ୍ବାବଲମ୍ବୀ କରି ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାପାଇଁ ସରକାର ଏହି ଯୋଜନା କରିଥିବାବେଳେ ତାହା ହଡ଼ପ କରିବା ପାଇଁ ଦେବୁ ନାହିଁ ବୋଲି କହିବା ସହିତ ଏହି ଲଢ଼େଇ ଜାରି ରହିବ ବୋଲି କହିଛନ୍ତି।