ନୂଆଦିଲ୍ଲୀ,୧୧ା୩: ବୁଧବାର ଦିନ ଥାଇଲ୍ୟାଣ୍ଡର ଫୁକେଟ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ହାର୍ଡ ଲ୍ୟାଣ୍ଡିଂ ।ବିମାନ IX ୯୩୮ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ବିମାନର ନୋଜ ହ୍ବିଲ ଭାଙ୍ଗିଯିବାରୁ ଏହା ରନୱେରେ ଅଟକି ଯାଇଥିଲା। ଦୁର୍ଘଟଣା ପରେ, ଫୁକେଟ୍ ବିମାନବନ୍ଦର ରନୱେ ବନ୍ଦ ଘୋଷଣା କରିଥିଲା। ବିମାନରେ ୧୩୩ ଜଣ ଯାତ୍ରୀ ଏବଂ କର୍ମଚାରୀ ଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇ ବିମାନବନ୍ଦରର ଓ୍ବେଟିଂ ଏରିଆକୁ ନିଆଯାଇଥିଲା ।
ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ବିମାନ ଅବତରଣ ସମୟରେ ନୋଜ୍ ଲ୍ୟାଣ୍ଡିଂ ଗିଅର୍ ଭାଙ୍ଗି ଯାଇଥିଲା। ବିମାନଟି ରନୱେରେ ଅଟକି ଯାଇଥିଲା। ଏମରଜେନ୍ସି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ରନୱେକୁ ଘେରାବନ୍ଦୀ କରିଥିଲେ । ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, “ମାର୍ଚ୍ଚ ୧୧ ତାରିଖରେ ଅବତରଣ ସମୟରେ ହାଇଦ୍ରାବାଦ-ଫୁକେଟ ବିମାନର ନୋଜ ହ୍ବିଲରେ ସମସ୍ୟା ଦେଖାଦେଇଥିଲା। କ୍ରୁ ସମସ୍ତ ମାନକ ପ୍ରୋଟୋକଲ ପାଳନ କରିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଓହ୍ଲାଇ ଦିଆଯାଇଥିଲା।”
ଫ୍ଲାଇଟ୍ IX ୯୩୮ ସକାଳ ୬ଟା୪୨ ରେ ହାଇଦ୍ରାବାଦରୁ ଉଡ଼ାଣ କରିଥିଲା। ଏହା ସକାଳ ୧୧ଟା ୪୦ ରେ (ସ୍ଥାନୀୟ ସମୟ) ଫୁକେଟରେ ଅବତରଣ କରିଥିଲା। ଫୁକେଟ୍ ବିମାନବନ୍ଦରରେ କେବଳ ଗୋଟିଏ ରନୱେ ଅଛି। କଠିନ ଅବତରଣ ପରେ ରନୱେ ବନ୍ଦ ହୋଇଯାଇଥିଲା। ଅତି କମରେ ୧୨ଟି ବିମାନକୁ ଡାଇଭର୍ଟ କରାଯାଇଥିଲା ।