ଡାଲମିଆ ସିମେଣ୍ଟ କମ୍ପାନୀରେ ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା କୋଇଲା ହପର, ୩ ଶ୍ରମିକଙ୍କ ପତ୍ତା ମିଳୁନି

ସୁନ୍ଦରଗଡ଼/ରାଜଗାଙ୍ଗପୁର,୧୭ା୧(ଜୟ ନାରାୟଣ ମେଣ୍ଡୁଳି/ଅଶୋକ ପାଣି): ଜିଲା ରାଜଗାଙ୍ଗପୁରସ୍ଥିତ ଡାଲମିଆ ସିମେଣ୍ଟ କାରଖାନାର ଲାଇନ୍‌ ୨ ପ୍ଲାଣ୍ଟରେ ଗୁରୁବାର ସନ୍ଧ୍ୟାରେ କୋଲ୍‌ ହପର ଭୁଶୁଡ଼ି ପଡ଼ିଛି। ଫଳରେ ୩ ଶ୍ରମିକଙ୍କ ପତ୍ତା ମିଳୁନି। ଘଟଣାକୁ ନେଇ କାରଖାନା ବାହାରେ ଉତ୍ତେଜନା ପ୍ରକାଶ ପାଇଛି। ଅଗ୍ନିଶମ କର୍ମଚାରୀ, ରାଜଗାଙ୍ଗପୁର ପୋଲିସ, ପ୍ଲାଣ୍ଟ ସୁରକ୍ଷା କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ୩ଟି କ୍ରେନ ସାହାଯ୍ୟରେ ଗଦା ହୋଇଥିବା କୋଇଲାକୁ କଢ଼ାଯାଉଛି। ଖବର ପାଇ ପ୍ଲାଣ୍ଟ ଭିତରକୁ ୩ଟି ଆମ୍ବୁଲାନ୍ସ ଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠିକ୍‌ ସୂଚନା ମିଳିପାରିନାହିଁ।  କମ୍ପାନୀର ମୁଖ୍ୟ ଫାଟକ ବନ୍ଦ ରହିଛି। ଗେଟ୍‌ ବାହାରେ ଶତାଧିକ ଲୋକଙ୍କ ଭିଡ଼ ଜମି ରହିଛି। ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ, ସୁନ୍ଦରଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକର, ରାଜଗାଙ୍ଗପୁର ବିଧାୟକଡା. ସିଏସ୍‌ ରାଜେନ ଏକ୍କା ଓ ଅନ୍ୟ ଅଧିକାରୀମାନେ କାରଖାନା ବାହାରେ ପହଞ୍ଚି ଆଲୋଚନା କରୁଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୨ନମ୍ବର ପ୍ଲାଣ୍ଟରେ ଥିବା ବଏଲର ଫାଟି ଯାଇ କୋଇଲା ଗଦା ହୋଇଯାଇଥିଲା। ପ୍ଲାଣ୍ଟ ଭିତରକୁ ୧୬ଜଣ ଶ୍ରମିକ କାର୍ଯ୍ୟ କରିବାକୁ ଯାଇଥିଲେ। ସେଥିମଧ୍ୟରୁ କେତେଜଣ ବାହାରକୁ ପଳାଇ ଆସିଥିବାବେଳେ ୩ ଶ୍ରମିକଙ୍କ ଫୋନ୍‌କୁ ଯୋଗାଯୋଗ ହୋଇପାରୁ ନାହିଁ। ଏନେଇ ସେମାନଙ୍କ ପରିବାର ଲୋକେ ନାନା ଆଶଙ୍କାରେ ରହିଛନ୍ତି।  ଏ ନେଇ କୌଣସି ସ୍ପଷ୍ଟ ଖବର ମିଳୁ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।

ଏହି କୋଇଲା ହପରରେ ଟନ୍ ଟନ୍ କୋଇଲା ଗଚ୍ଛିତ ରହିଥାଏ। ପରେ କୋଇଲାକୁ କନଭେୟର ବେଲ୍ଟ ମାଧ୍ୟମରେ ବଏଲରକୁ ପଠାଯାଇଥାଏ। ତେବେ କୋଇଲା ହପର ଭୁଶୁଡି ପଡିବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନାଯୋଗ୍ୟ, ୨୦୨୦ରେ ଡାଲମିଆ ସିମେଣ୍ଟରେ ଏକ ଅଘଟଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିଲେ।