ଲକ୍ଷ୍ନୌ,୨୦।୧: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅନେକ ଜଣାଶୁଣା ବାବା ଆସି ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ଆଇଆଇଟି ବାବା ଓରଫ ଅଭୟ ସିଂହ ଗ୍ରେୱାଲ ଅନ୍ୟତମ। ଲୋକମାନେ ଦାବି କରିଛନ୍ତି, ଏହି ବାବା ନିଶାଗ୍ରସ୍ତ ଥିଲେ, ଏବେ ଲୋକମାନଙ୍କୁ ଏହା କହିବାର ଆଉ ଏକ ସୁଯୋଗ ମିଳିଛି। କାରଣ ଆଇଆଇଟି ବାବା ଓରଫ ଅଭୟ ସିଂହ ଗ୍ରେୱାଲଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ସୁଦର୍ଶନ ଚକ୍ରରେ ଲୋକଙ୍କୁ କାଟିବା ବିଷୟରେ କହୁଥିବା ଦେଖାଯାଉଛି। ଭିଡିଓରେ ବାବା କହିଥିଲେ, ତୁମେମାନେ ମୋର ଶକ୍ତିକୁ ଚିହ୍ନ, ନଚେତ୍ ଯେତେବେଳେ ତୁମେ ଅନୁଭବ କରିବ, ମୁଁ ତୁମକୁ ସୁଦର୍ଶନ ଚକ୍ରରେ କାଟି ଦେଇଥିବି। ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବା ପରେ, ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ଆଇଆଇଟି ବାବା ଲୋକମାନଙ୍କୁ କହିଥିଲେ, ଭଗବାନ ଶିବ ମୋ ସ୍ବପ୍ନରେ ଆସିଥିଲେ, ମୁଁ ଜଣେ ବହୁତ ପବିତ୍ର ହୃଦୟର ବ୍ୟକ୍ତି। ମୁଁ ଭଗବାନ ବିଷ୍ଣୁଙ୍କ ଅବତାର। ଯଦି ତୁମେ ଏବେ ବିଶ୍ୱାସ କରିବ ନାହିଁ, ତେବେ କେବେ ବିଶ୍ୱାସ କରିବ? ଯେତେବେଳେ ବିଶ୍ୱାସ କରିବ ସେତେବେଳେ ମୁଁ ତୁମକୁ ସଦର୍ଶନ ଚକ୍ରରେ କାଟିଦେଇଥିବି।
ମହାକୁମ୍ଭକୁ ଆସିଥିବା ଆଇଆଇଟିଙ୍କ ବିଷୟରେ ଅନେକ ପ୍ରକାରର ଖୁଲାସା ହେଉଛି। ବାବା ନିଜ ବିଷୟରେ ଯେଉଁ ଦାବି କରିଛନ୍ତି ତାହା ବହୁତ ଆଶ୍ଚର୍ଯ୍ୟଜନକ। ଆଇଆଇଟି ମୁମ୍ବାଇରୁ ଏରୋସ୍ପେସ ଇଞ୍ଜିନିୟରିଂ ସମାପ୍ତ କରିବା ପରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି ଛାଡି ଆଧ୍ୟାତ୍ମିକତା ଆଡକୁ ମୁହାଁଇଥିବା ବାବା ଦାବି କରିଛନ୍ତି, ସେ କଳ୍କିଙ୍କ ଅବତାର। ଭଗବାନ ଶିବ ନିଜେ ତାଙ୍କୁ ଏହି ନାମ ଦେଇଛନ୍ତି। ସେ କହିଲେ,ଭଗବାନ ତାଙ୍କୁ କହିଥିଲେ ଯେ ତାଙ୍କର ନାମ କଳ୍କି, ଏହା ବ୍ୟତୀତ ସେ ଭଗବାନ ବିଷ୍ଣୁଙ୍କ ଅବତାର ମଧ୍ୟ।