ଥୁଆମୂଳ ରାମପୁର,୧୨ା୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ମାଘ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ମଙ୍ଗଳବାର ମାଘ ଝାମୁଯାତ୍ରା ବା ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି। ପରମ୍ପରା ଅନୁସାରେ ମନ୍ଦିର ପୂଜକ ଏହି ଯାତ୍ରାର ପ୍ରଥମ ଦିନରେ ୫ଟି ନୂଆ ଚାଙ୍ଗୁଡ଼ିରେ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଯଥା ଧାନ, କାନ୍ଦୁଳ, ମୁଗ, ବିରି, ମାଣ୍ଡିଆ ଆଦିକୁ ଗଜା ହେବା ପାଇଁ ଚାଙ୍ଗୁଡ଼ିରେ ଥିବା ବାଲିରେ ପକାଇଥାଆନ୍ତି ଓ ବେଲ କଣ୍ଟା ଦୋଳି ତିଆରି କରାଯାଇଥାଏ। ଗଜା ହୋଇଥିବା ଚାଙ୍ଗୁଡି ଓ କଣ୍ଟା ଦୋଳିକୁ ୯ଦିନ ବ୍ୟାପୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ବାବା ଅଗ୍ନି ଭୈରବ ଓ ମା’ ମାଣିକେଶ୍ୱରୀ କଣ୍ଟା ଡୁମା ମାଠିଆ ଗାଦିରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଗାଁର ରୋହିତ ନାଏକଙ୍କ ଦେହରେ ଭଗବାନ କାଳିଶି ଅବିର୍ଭାବ ହୋଇଥିଲେ। ଏହାପରେ କାଳିସୀ ମୁଖ୍ୟ ମନ୍ଦିରରୁ ବାହାରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁ କୁକୁଡ଼ା, ବୋଦା, ପାରା, ନଡ଼ିଆ ଆଦି ଭୋଗ ଅର୍ପଣ କରିଥିଲେ। ପୂଜକ ରୋହିତ ନାଏକ, ଶ୍ରୀକାନ୍ତ ନାଏକ, ପ୍ରଦୀପ ନାଏକ, ଦୀପକ ନାଏକ, ରାଜନ ନାଏକ, ଗଙ୍ଗାରାମ ନାଏକ, କୁମାରୁ ନାଏକ, ବ୍ରଜ ସୁନ୍ଦର ନାଏକ ପ୍ରମୁଖଙ୍କ ସହଯୋଗରେ ଯାତ୍ରା ଶେଷ ହୋଇଥିଲା।