ଥୁଆମୂଳ ରାମପୁର,୨୭।୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣୁପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋକୋଲମା ବଙ୍ଗଳା ପଡ଼ାଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମାଘ ଝାମୁ ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି। ମାଘ ଶୁକ୍ଳ ପକ୍ଷ ନବମୀ ତିଥି ମଙ୍ଗଳବାର ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ଓ ବାବା ଅଗ୍ନି ଭୈରବ ଦେବଙ୍କ ଏହି ପ୍ରସିଦ୍ଧ ଝାମୁ ଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ପ୍ରଥା ଅନୁସାରେ, ଯାତ୍ରାର ପ୍ରଥମ ଦିନରେ ମନ୍ଦିର ପୂଜକଙ୍କ ଦ୍ୱାରା ୫ଟି ନୂଆ ଚାଙ୍ଗୁଡ଼ିରେ ବାଲି ଅଣାଯାଇ ସେଥିରେ ଧାନ, କାନ୍ଦୁଳ, ମୁଗ, ବିରି ଓ ମାଣ୍ଡିଆ ଆଦି ଶସ୍ୟକୁ ଗଜା ହେବା ପାଇଁ ପକାଯାଇଥିଲା। ଏହି ୯ ଦିନ ଧରି ଚାଙ୍ଗୁଡ଼ି ଗୁଡ଼ିକ ମନ୍ଦିରରେ ପୂଜାର୍ଚ୍ଚନା ହେବା ସହ ବିଶେଷ ‘ବେଲ କଣ୍ଟା ଦୋଳି’ ପ୍ରସ୍ତୁତ କରାଯାଇଥିଲା। ଯାତ୍ରାର ମୁଖ୍ୟ ଦିନରେ ବାବା ଅଗ୍ନି ଭୈରବ ଓ ମା’ ମାଣିକେଶ୍ୱରୀ କଣ୍ଟାଡୁମା ମାଠିଆ ଗାଦିରେ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ।
ଏହି ଅବସରରେ ଗ୍ରାମର ରୋହିତ ନାଏକଙ୍କ ଦେହରେ ଭଗବାନ କାଳିସୀ ଅବିର୍ଭାବ ହୋଇଥିଲେ। କାଳିସୀ ମୁଖ୍ୟ ମନ୍ଦିରରୁ ବାହାରି ନିଆଁ ଉପରେ ଚାଲିବା (ଝାମୁ) ସହ ଭକ୍ତଙ୍କୁ ଦର୍ଶନ ଦେବା ଦୃଶ୍ୟ ବେଶ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ନିଜର ମାନସିକ ପୂରଣ ପାଇଁ ଶତାଧିକ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ କୁକୁଡ଼ା, ବୋଦା, ପାରା ଓ ନଡ଼ିଆ ଆଦି ଭୋଗ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ପୂଜକ ରୋହିତ ନାଏକଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ ହୋଇଥିଲା। ଏଥିରେ ଶ୍ରୀତମ ନାଏକ, ଦୀପକ ନାଏକ, କୁମାରୁ ନାଏକ, ରଜନୀ ନାଏକ, ଗଙ୍ଗାରାମ ନାଏକ, ରାଜନା ନାଏକ, ଅନୁଭବ ନାଏକ ଏବଂ ଦିନେଶ ନାଏକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଅଞ୍ଚଳର ଶତାଧିକ ଜନସାଧାରଣ ଏହି ଯାତ୍ରାରେ ସାମିଲ ହୋଇ ଆଧ୍ୟାତ୍ମିକ ଆଶୀର୍ବାଦ ଭିକ୍ଷା କରିଥିଲେ।