ମଧ୍ୟପ୍ରାଚ୍ୟକୁ ଫେରିଲା ଯୁଦ୍ଧ

ଦୁବାଇ/ଜେରୁଜେଲମ୍‌/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୧।୩ (ପି.ଟି./ ଏ.ପି./ ଅଲ୍‌-ଜଜିରା): ଇସ୍‌ଲାମିକ୍‌ ସାଧାରଣତନ୍ତ୍ର ଇରାନ୍‌ର ଆଣବିକ ସମ୍ବର୍ଦ୍ଧନ କାର୍ଯ୍ୟକ୍ରମକୁ ନେଇ ମୂଳରୁ କ୍ଷୁବ୍ଧ ଥିବା ଆମେରିକା ଏହାକୁ ନିଜ ତଥା ପାଶ୍ଚାତ୍ୟ ଦୁନିଆ ପାଇଁ ଏକ ବଡ଼ ବିପଦ ବୋଲି ବିବେଚନା କରିଥାଏ। ତେଣୁ ତେହରାନ୍‌ ଯେପରି ଆଣବିକ କାର୍ଯ୍ୟକ୍ରମ ବିକାଶକୁ ବନ୍ଦ କରିବା ପାଇଁ ଓ୍ବାଶିଂଟନ୍‌ ସହ ଚୁକ୍ତିବଦ୍ଧ ହେବ ତା’ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରଠୁ ଅଧିକ ଜୋର୍‌ ଦେଇଆସୁଛନ୍ତି। ସେପଟେ ଗାଜାରେ ପାଲେଷ୍ଟିନୀୟ ଆତଙ୍କବାଦୀ ସଙ୍ଗଠନ ହମାସକୁ ଇରାନ୍‌ ସହଯୋଗ କରୁଥିବାରୁ ତେହରାନ୍‌ ଇସ୍ରାଏଲୀ ସୁରକ୍ଷା ବଳର ଟାର୍ଗେଟରେ ରହିଛି। ଏହି କାରଣରୁ ୨୦୨୫ ଜୁନ୍‌ ୧୩ରେ ଇସ୍ରାଏଲ୍‌-ଇରାନ୍‌ ଯୁଦ୍ଧ ଆରମ୍ଭ ହୋଇଥିଲା। ଇସ୍ରାଏଲ୍‌ର ସହଯୋଗୀ ଆମେରିକା ଇରାନ୍‌ର କେତୋଟି ଆଣବିକ କେନ୍ଦ୍ରରେ ଆକାଶମାର୍ଗରୁ ଆକ୍ରମଣ କରିଥିଲା। ୧୨ ଦିନିଆ ଯୁଦ୍ଧ ନାମରେ ପରିଚିତ ଏହି ସାମରିକ ସଂଘର୍ଷ ସେତେବେଳେ ତୈଳ ବଜାରରେ ନିଆଁ ଲଗାଇଦେଇଥିଲା। ପରବର୍ତ୍ତୀ ସମୟରେ ଉତ୍ତେଜନା ପ୍ରଶମିତ ହୋଇଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଇସ୍ରାଏଲ୍‌ ଓ ଆମେରିକା ସହ ଇରାନ୍‌ ମୁହାଁମୁହିଁ ସ୍ଥିତିରେ ରହିଥିଲା। ଗତବର୍ଷ ଡିସେମ୍ବରରେ ଇରାନ୍‌ରେ ଖାମେନେଇ ସରକାରଙ୍କ ସ୍ବେଚ୍ଛାଚାରିତା ଯୋଗୁ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟକୁ ବିରୋଧକରି ଦେଶବ୍ୟାପୀ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସରକାରଙ୍କ ନିର୍ଦ୍ଦେଶକ୍ରମେ ନିଆଯାଇଥିବା ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଟ୍ରମ୍ପ୍‌ ଏହାକୁ ଏକ ସୁଯୋଗ ଭାବେ ଧରିନେଇଥିଲେ। ସେବେଠୁ ଟ୍ରମ୍ପ୍‌ ଇରାନ୍‌କୁ ବହୁବାର ଚେତାବନୀ ଦେଇଆସିଥିଲେ। ଜେନେଭାରେ ଆମେରିକା-ଇରାନ୍‌ ଆଣବିକ ଆଲୋଚନା ଜାରି ରହିଥିବାବେଳେ ଶନିବାର ପୁଣି ଯୁଦ୍ଧ ଆରମ୍ଭ ହୋଇଛି। ଇସ୍ରାଏଲ୍‌ ଓ ଆମେରିକା ପକ୍ଷରୁ ଇରାନ୍‌ ଉପରେ ଅତର୍କିତ ଆକ୍ରମଣ କରାଯାଇଛି। ତେହରାନ୍‌ରେ ଥିବା ୮୬ ବର୍ଷୀୟ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ଅଫିସ ସମେତ ଓ ଅନ୍ୟ ସହରଗୁଡ଼ିକରେ ମିଳିତ ଭାବେ ଆକ୍ରମଣ କରାଯାଇଛି। ଟ୍ରମ୍ପ୍‌ ନିଜ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲରେ ଏହାର ଭିଡିଓ ଜାରି କରି କହିଛନ୍ତି, ଆମ କାର୍ଯ୍ୟ ଶେଷ ହେଲେ ତୁମ ସରକାରକୁ କବ୍‌ଜା କରିବୁ। ସମ୍ଭବତଃ ଇରାନ୍‌ର ଅନେକ ପିଢ଼ି ପାଇଁ ଏହା ଏକମାତ୍ର ସୁଯୋଗ। ଇରାନ୍‌ବାସୀ ଆମେରିକାକୁ ବହୁବର୍ଷ ଧରି ସାହାଯ୍ୟ ମାଗିଛନ୍ତି। କିନ୍ତୁ ସେହି ସାହାଯ୍ୟ ପାଇ ନ ଥିଲେ। ତେଣୁ ବର୍ତ୍ତମାନ ହିଁ ଉପଯୁକ୍ତ ସୁଯୋଗ। ଇରାନ୍‌ ଶାସକ ଆଣବିକ କାର୍ଯ୍ୟକ୍ରମ ତ୍ୟାଗ କରିବା ପାଇଁ ଦିଆଯାଇଥିବା ସବୁ ସୁଯୋଗକୁ ହାତଛଡ଼ା କରିଛନ୍ତି। ଇରାନୀୟ ସେନା ଅସ୍ତ୍ରତ୍ୟାଗ କରୁ। ଯେଉଁମାନେ ଆତ୍ମସମର୍ପଣ କରିବେ, ସେମାନଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହେବନାହିଁ। ଯିଏ ଲଢ଼େଇ କରିବାକୁ ଆସିବେ ମୃତ୍ୟୁ ସୁନିଶ୍ଚିତ ବୋଲି ଟ୍ରମ୍ପ୍‌ ପୁଣି ଚେତାବନୀ ଦେଇଛନ୍ତି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଟ୍ରମ୍ପ୍‌ଙ୍କ ଆହ୍ବାନକୁ ସମର୍ଥନ କରି କହିଛନ୍ତି, ଆମର ମିଳିତ ଅପରେଶନ୍‌ ବୀର ଇରାନୀୟ ଜନସାଧାରଣଙ୍କ ପାଇଁ ଏପରି ସ୍ଥିତି ଉପୁଜାଇବ ଯେ ସେମାନେ ନିଜ ଭାଗ୍ୟ ନିଜେ ନିର୍ଣ୍ଣୟ କରିବାର ସ୍ବାଧୀନତା ହାସଲ କରିବେ।
ଏହି ଏୟାର ଷ୍ଟ୍ରାଇକ୍‌ ଇରାନ୍‌ରେ ୮ ମାସ ମଧ୍ୟରେ ଆମେରିକା ହସ୍ତକ୍ଷେପର ନୂଆ ଅଧ୍ୟାୟକୁ ଉନ୍ମୁକ୍ତ କରିବା ସହ ଟ୍ରମ୍ପ୍‌ ପ୍ରଶାସନର ଦୃଢ଼ତାକୁ ଦର୍ଶାଉଛି। ତାହା ପୁଣି ଏପରି ସମୟରେ, ଯାହା ପୂର୍ବରୁ ଟ୍ରମ୍ପ୍‌ ସାମରିକ ଅପରେଶନ୍‌ ଜରିଆରେ ଭେଜେଜୁଏଲା ରାଷ୍ଟ୍ରପତି ନିକୋଲାସ୍‌ ମଦୁରୋଙ୍କୁ ଷଡ଼ଯନ୍ତ୍ର ଅଭିଯୋଗରେ ଗାଦିଚ୍ୟୁତ କରି ସସ୍ତ୍ରୀକ ନ୍ୟୁୟର୍କକୁ ନେଇଆସିଥିଲେ। ଟ୍ରମ୍ପ୍‌ ଭେନେଜୁଏଲା ଅପରେଶନ୍‌ ପରେ ବସିଯାଇ ନ ଥିଲେ। ଇରାନ୍‌ରେ ଦେଶବ୍ୟାପୀ ଖାମେନେଇ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଥିବାବେଳେ ସେ ଇରାନୀୟମାନଙ୍କୁ ଉସୁକାଇ ଚାଲିଥିଲେ। ଏପରି କି ଇରାନ୍‌ବାସୀଙ୍କୁ ଆମେରିକା ସହାୟତାର ହାତ ବଢ଼ାଇଥିବା ସେ କହିଥିଲେ। ଆମେରିକା ଓ ଇସ୍ରାଏଲ୍‌ର ସଦ୍ୟ ଆକ୍ରମଣ ପରେ ଇରାନ୍‌ ପ୍ରଥମେ ଇସ୍ରାଏଲ୍‌କୁ ଅନେକ ମିଶାଇଲ୍‌ ଏବଂ ଡ୍ରୋନ୍‌ ଛାଡ଼ିଛି। ଏହା ପରେ ଇରାନ୍‌ର ରିଭୋଲ୍ୟୁଶନାରି ଗାର୍ଡ କର (ଆଇଆର୍‌ଜିସି) ପକ୍ଷରୁ ବାହାରିନ୍‌, କୁଏଟ୍‌, କାତାରରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଆକ୍ରମଣ କରାଯାଇଛି। ଯୁଦ୍ଧ ଘନଘଟା ଭିତରେ ୟୁଏଇ ଏବଂ ଇରାକ୍‌ ନିଜ ନିଜ ବାୟୁସୀମାକୁ ବନ୍ଦ କରିଦେଇଛନ୍ତି। ଇରାନ୍‌ ବହିର୍ବ୍ୟାପାର ମନ୍ତ୍ରଣାଳୟ Xରେ ଟାଣପଣ ଦେଖାଇ ଏକ ବିବୃତିରେ କହିଛି, ଜବାବ ଦେବାକୁ ଆମେ ପଛଘୁଞ୍ଚା ଦେବୁ ନାହିଁ। ଶତ୍ରୁଙ୍କ ସାମରିକ ଆକ୍ରମଣର ମୁକାବିଲା ପାଇଁ ପ୍ରତିରକ୍ଷା ଓ ପ୍ରତିରୋଧର ସମୟ ଉପନୀତ। ଇସ୍ରାଏଲ୍‌-ଆମେରିକା ଆକ୍ରମଣରେ ଇରାନ୍‌ର ହୋର୍ମୋଜଗାନ୍‌ ପ୍ରଦେଶର ମିନାବ୍‌ସ୍ଥିତ ଏକ ସ୍କୁଲରେ ୫୩ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଅନେକେ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସେପଟେ ଇରାନ୍‌ର ମିଶାଇଲ୍‌ ଆକ୍ରମଣରେ ୟୁଏଇ ରାଜଧାନୀ ଆବୁଧାବିରେ ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଛି।
ଇତିମଧ୍ୟରେ ଇରାନ୍‌ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟମାନଙ୍କୁ ଘର ଭିତରେ ସତର୍କ ହୋଇ ରହିବାକୁ ଏକ ଆଡ୍‌ଭାଇଜରି ଜାରି କରାଯାଇଛି। ତେଲ୍‌ ଆଭିଭ୍‌ ସମେତ ପଶ୍ଚିମ ଏସୀୟ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ଏୟାରପୋର୍ଟଗୁଡ଼ିକୁ ଭାରତୀୟ ବିମାନ ଚଳାଚଳ ବନ୍ଦ କରାଯାଇଛି। ସାଉଦି ଆରବ, ୟୁଏଇ ଓ ଜୋର୍ଡାନ୍‌ରେ ଥିବା ଭାରତୀୟଙ୍କ ଉଦ୍ଦେଶ୍ୟରେ ମଧ୍ୟ ନୂଆଦିଲ୍ଲୀ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି। ଆମେରିକା-ଇସ୍ରାଏଲ୍‌ର ଇରାନ୍‌ ଆକ୍ରମଣକୁ ରୁଷିଆ ନିନ୍ଦା କରିଛି। ଏକ ସାର୍ବଭୌମ ତଥା ଜାତିସଂଘ ସଦସ୍ୟ ରାଷ୍ଟ୍ର ଉପର ଏହି ପ୍ରାୟୋଜିତ ଆକ୍ରମଣ ଚରମ ଉତ୍ତେଜନା ବୃଦ୍ଧି କରିବ। ତେଣୁ ଆକ୍ରମଣ ବନ୍ଦ କରିବାକୁ ମସ୍କୋ ପରାମର୍ଶ ଦେଇଛି। ମଧ୍ୟପ୍ରାଚ୍ୟରେ ଥିବା ୟୁରୋପୀୟମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାରୁ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ଜରୁରୀ ବୈଠକ ଡାକିବାକୁ ପରାମର୍ଶ ଦେଇଛନ୍ତି।

ମଧ୍ୟପ୍ରାଚ୍ୟରେ ଦୀର୍ଘଦିନରୁ କୁହୁଳୁଥିବା ଭୂ-ରାଜନୈତିକ ଉତ୍ତେଜନା ଏବେ ଭୟଙ୍କର ଯୁଦ୍ଧର ରୂପ ନେଇଛି। ଶନିବାର ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମିଳିତ ଏୟାର ଷ୍ଟ୍ରାଇକ୍‌ରେ ଦକ୍ଷିଣ ଇରାନ୍‌ର ମିନାବ୍‌ସ୍ଥିତ ଏକ ସ୍କୁଲର ଅନୂ୍ୟନ ୫୩ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୪୫ ଜଣ ଆହତ ହୋଇଛନ୍ତି। ସୁପ୍ରିମ୍‌ ଲିଡର ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ଅଫିସ ସମେତ ତେହରାନ୍‌ର ବିଭିନ୍ନ ଅଞ୍ଚଳରେ ବିସ୍ଫୋରଣର ଧୂଅଁା ଉଠୁଥିବା ଦେଖିବାକୁ ମିଳିଛି। ୧୯୭୯ରୁ ଇରାନ୍‌ରେ ଚାଲିଥିବା ଇସ୍‌ଲାମିକ୍‌ ନେତୃତ୍ୱ ବିରୋଧରେ ଇରାନୀୟ ଜନସାଧାରଣ ଆନ୍ଦୋଳନ ଚଳାଇଥିବାବେଳେ ସେମାନଙ୍କୁ ‘ନିଜ ଭାଗ୍ୟ ନିର୍ଣ୍ଣୟ’ ପାଇଁ ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଏକ ସୁଯୋଗ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିବା ସହ ଏହାକୁ ହାତଛଡ଼ା ନ କରିବାକୁ ଆହ୍ବାନ ଦେଇଛନ୍ତି। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ମତରେ ତାଙ୍କ ଦେଶର ଅସ୍ତିତ୍ୱ ପ୍ରତି ବିପଦ ସାଜିଥିବା ଇରାନୀୟ ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବା ପାଇଁ ଏହା ହେଉଛି ଏକ ସମନ୍ବିତ ଓ ନିର୍ଦ୍ଦିଷ୍ଟ ସାମରିକ କାର୍ଯ୍ୟାନୁଷ୍ଠାନ, ଯାହା ବଳରେ ଖାମେନେଇ ଶାସନର ଅନ୍ତ ଘଟିବ। ଅନ୍ୟପକ୍ଷେ ଇରାନ୍‌ ଏହାର ଜବାବ ଦେବାକୁ ଯାଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ବାହାରିନ୍‌, ଜୋର୍ଡାନ୍‌ ଓ କୁଏଟ୍‌ ସମେତ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ସେନାଘାଟିଗୁଡ଼ିକୁ ଟାର୍ଗେଟ କରିଛି। ଏଥିସହ ମଧ୍ୟପ୍ରାଚ୍ୟ ଆକାଶରେ ପୁନର୍ବାର ଯୁଦ୍ଧ ଘନଘଟାର ବାଦଲ ଛାଇ ହୋଇଯାଇଛି। ଏହି ସଂଘର୍ଷର ସିଧାସଳଖ ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସରିବା ମାତ୍ରେ ଏହି ଆକ୍ରମଣ ହୋଇଥିବାରୁ ଦେଶରେ ରାଜନୈତିକ ତର୍କବିତର୍କ ଆରମ୍ଭ ହୋଇଛି। କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସମୟକୁ ନେଇ ପ୍ରଶ୍ନ ଉଠାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ଆଶଙ୍କାରେ ସାଧାରଣ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଜରୁରିକାଳୀନ ସତର୍କ ସୂଚନା ଜାରି କରାଯାଇଛି।

Dharitri – Odisha’s No.1 Odia Daily