ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର।
ମଧୁବାବୁ ୧୯୦୩ରେ ଜାତୀୟ କଂଗ୍ରେସରୁ ଅଲଗା ହୋଇ ‘ଉତ୍କଳ ସମ୍ମିଳନୀ’ ଗଠନକରି ଏକ ନୂତନ ଓଡ଼ିଶା ରାଜ୍ୟ ଗଠନ ନିମନ୍ତେ ଚେଷ୍ଟା କରିଥିଲେ। ସେତେବେଳେ ଉତ୍କଳର ସ୍ବତନ୍ତ୍ର ସ୍ଥିତି ନ ଥିଲା। ଏହା ବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ସହ ମିଶିକରି ରହିଥିଲା। ତେଣୁ ଏସବୁ ଅଞ୍ଚଳକୁ ମିଶାଇ ଏକ ଶାସନାଧୀନ କରିବା ପାଇଁ ଉତ୍କଳରେ ଯେଉଁ ଆନ୍ଦୋଳନ ହୋଇଆସୁଥିଲା, ତାହା ‘ଓଡ଼ିଆ ଆନ୍ଦୋଳନ’ନାମରେ ପରିଚିତ। ଓଡ଼ିଆ ଜାତିର ସାମଗ୍ରିକ ବିକାଶ ଏହି ଆନ୍ଦୋଳନ ସହ ସଂଶ୍ଳିଷ୍ଟ ଥିଲା। ମଧୁବାବୁଙ୍କ ପ୍ରଚେଷ୍ଟା ଫଳରେ ୧୯୦୩ରେ ସମ୍ବଲପୁରର ଉତ୍କଳ ସହ ମିଶ୍ରଣ ହୋଇଥିଲା। ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ପତ୍ରିକା ମାଧ୍ୟମରେ ଉତ୍କଳର ମାନ ଫେରାଇ ଆଣିବା ପାଇଁ ସେ ଆନ୍ଦୋଳନ ଚଳାଇ ଆସିଥିଲେ। ସେ ସାଇମନ କମିଶନ, ଓଡନେଲ କମିଟି ଓ ହବାକ୍ କମିଟି ଆଗରେ ସାକ୍ଷ୍ୟ ଦେଇଥିଲେ। ଏହିପରି ଭାବରେ ଓଡ଼ିଆ ଆନ୍ଦୋଳନକୁ ସେ ଉଜ୍ଜୀବିତ କରି ରଖୁଥିଲେ। ବଙ୍ଗାଳିଙ୍କର ଖଣ୍ଡ ବିଖଣ୍ଡିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରୁ ଓଡ଼ିଆ ଭାଷା ଲୋପକରିବାର ଉଦ୍ୟମକୁ ପଣ୍ଡକରିବା ପାଇଁ ‘ଉତ୍କଳ ଦୀପିକା’ ପ୍ରକାଶ ପାଇବା ପରେ ଇଂରେଜ ସରକାରଙ୍କ ହୀନ ଉଦ୍ୟମ ପଣ୍ଡ ହୋଇଥିଲା। ୧୯୨୭ରେ ସାଇମନ କମିଶନ ଆଗରେ ମଧୁବାବୁ ତାଙ୍କର ଅନ୍ୟ ସହଯୋଗୀ ବନ୍ଧୁମାନଙ୍କ ସହ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଯଥାର୍ଥତା ଜଣାଇଥିଲେ। ଓଡନେଲ କମିଟି ସୁପାରିସ ଅନୁଯାୟୀ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇପାରିଲା। ୧୯୩୬ ଏପ୍ରିଲ ପହିଲାରେ ମଧୁବାବୁଙ୍କର ସ୍ବପ୍ନର ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହାସଲକଲା। କିନ୍ତୁ ଏହା ପୂର୍ବରୁ ମଧୁବାବୁ ମୃତ୍ୟୁବରଣ କରିଥିଲେ।
ମଧୁସୂଦନ ଜଣେ ରାଜନୀତିଜ୍ଞ, ଓକିଲ, ବାଗ୍ମୀ ଓ ସଂଗଠକ ଥିଲେ। ମଧୁବାବୁଙ୍କ ସମ୍ପାଦନରେ ‘ଓଡ଼ିଆ’ ନାମକ ଏକ ଇଂରାଜୀ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା। ଏହା ଥିଲା ସେତେବେଳେ ଓଡ଼ିଶାର ଜନଜୀବନ, ସାମାଜିକ ଓ ରାଜନୈତିକ ଇତିହାସର ମୁଖପାତ୍ର। ବିଶେଷତଃ ସ୍ତ୍ରୀଲୋକଙ୍କୁ କୋର୍ଟ କଚେରିରେ ସାହାଯ୍ୟ କରିବା ନିମନ୍ତେ ଶୈଳବାଳାଙ୍କ ସାନଭଉଣୀ ସୁଧାଂଶୁବାଳାଙ୍କୁ ମଧୁବାବୁ ‘ଲ’ ପଢ଼ାଇଥିଲେ ଓକିଲ କରିବାକୁ। କିନ୍ତୁ ‘Legal Practioner’s Act’ ରେ ମହିଳାମାନେ ଓକିଲ ହେବାର ଆଇନ ନ ଥିବାରୁ ସୁଧାଂଶୁବାଳାଙ୍କୁ ଓକିଲ ଲାଇସେନ୍ସ ପାଇଁ ଦରଖାସ୍ତକୁ ନାକଚ କରିଦିଆଗଲା। ମଧୁବାବୁ ସେଥିପାଇଁ ମକଦ୍ଦମା କରି ପ୍ରିଭି କାଉନସିଲ୍ ପର୍ଯ୍ୟନ୍ତ ମକଦ୍ଦମା ଲଢ଼ିଥିଲେ। ଡିଗ୍ରୀ ହାସଲକରି ‘ଭାରତରେ ମହିଳାମାନେ ଓକିଲ ହୋଇପାରିବେ’ବୋଲି ଭାରତ ସରକାରଙ୍କ ଦ୍ୱାରା ଆଇନ ପ୍ରଣୟନ କରାଇଥିଲେ।
ମଧୁବାବୁ ଜଣେ ବିଚକ୍ଷଣ ଆଇନ ବିଶାରଦ ଥିଲେ। ସେ ମନ୍ତ୍ରୀ ଥିଲାବେଳେ ‘Local Self Government Act’ (ମୁନିସିପାଲିଟି ଆକ୍ଟ) ପ୍ରଣୟନ କରିଥିଲେ। ସେହି ଆକ୍ଟ ଏଯାବତ ବଳବତ୍ତର ରହିଛି, ଯାହା ପ୍ରମାଣ କରେ ସେ ଜଣେ ଉଚ୍ଚକୋଟୀର ରାଷ୍ଟ୍ର ନେତା ଥିଲେ। ସେ ହେଉଛନ୍ତି ସ୍ବଦେଶୀ ଶିଳ୍ପ ଆନ୍ଦୋଳନର ପ୍ରଥମ ପ୍ରବର୍ତ୍ତକ। ସେ ଉପଲବ୍ଧି କରିଥିଲେ, ଶିଳ୍ପ ବିକାଶ ବିନା କୃଷି ଉପରେ କେବଳ ନିର୍ଭରକରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବପର ନୁହେଁ। ତେଣୁ ସେ ତାରକସି ଶିଳ୍ପର ବିକାଶ ପ୍ରତି ଦୃଷ୍ଟି ଦେଇଥିଲେ। ମଧୁବାବୁ ଓଡ଼ିଶାର ଚମଡ଼ା କାରିଗରଙ୍କ ଉନ୍ନତି ପାଇଁ କଟକରେ ‘ଉତ୍କଳ ଟ୍ୟାନେରି’ ଚମଡ଼ା କାରଖାନା ଗଢ଼ିଥିଲେ। ସେଠାରେ ଯେଉଁ ଜୋତା ତିଆରି ହେଉଥିଲା ତାହାର ଉଚ୍ଚମାନ ଯେପରି ରକ୍ଷା କରାଯାଏ ସେଥିପ୍ରତି ସେ ସଚେତନ ଥିଲେ। ସେ ମନେକରୁଥିଲେ, ଯଦି ଓଡ଼ିଶା ନିର୍ମିତ ଜୋତା ତା’ର ଉଚ୍ଚମାନ ରକ୍ଷାକରି ନ ପାରେ ତା’ହେଲେ ତାହା ଓଡ଼ିଆ ଜାତି ପ୍ରତି ଲଜ୍ଜାକର ହେବ।
୧୯୨୪ରୁ ମଧୁବାବୁଙ୍କ ସ୍ବଦେଶୀ ଶିଳ୍ପ ଆନ୍ଦୋଳନ ହରିଜନ ସଂସ୍ଥାପନ ଗ୍ରାମ୍ୟ ଉନ୍ନୟନର ପରିକଳ୍ପନା, ମୌଳିକ ଶିକ୍ଷାର ପ୍ରବର୍ତ୍ତନ ପାଇଁ ଜନଜାଗରଣ ଅନେକାଂଶରେ ମହାତ୍ମାଗାନ୍ଧୀଙ୍କ ଚିନ୍ତାଧାରାକୁ ଆଲୋଡ଼ିତ କରିଥିଲା।
ହରିଜନଙ୍କ ପ୍ରତି ମଧୁବାବୁ ଯେଉଁ ଚିନ୍ତାଧାରା ପୋଷଣ କରିଥିଲେ, ତାହା ଦେଖି ମହାତ୍ମାଗାନ୍ଧୀ କହୁଥିଲେ, ସମାଜର ଏକ ଅଂଶ ପ୍ରତି ଆମେ ଯେଉଁ ଅପରାଧ କରିଚାଲିଛେ, ମଧୁସୂଦନ ଦାସ ସେସମ୍ପର୍କରେ ମୋ ଆଖି ଖୋଲିଦେଇଥିଲେ।
ଓଡ଼ିଶାବାସୀଙ୍କ ପାଇଁ ଆଇନଜୀବୀ ଭାବରେ ମଧୁସୂଦନ ଦାସଙ୍କ ଅବଦାନ ହେଲା ବ୍ରିଟିଶ ସରକାରଙ୍କ ଚକ୍ରାନ୍ତମୂଳକ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ ସହ ଗଜପତି ପରମ୍ପରାକୁ ସ୍ବୀକୃତି ପ୍ରଦାନର ବ୍ୟବସ୍ଥା ଗ୍ରହଣ। ମଧୁବାବୁଙ୍କ ଜୀବନ ଇତିହାସରୁ ଜଣାପଡ଼େ, ଜଣେ ଆଇନଜୀବୀର ଭୂମିକା କେବଳ କୋର୍ଟ କଚେରି ପରିସରରେ ସୀମାବଦ୍ଧ ନୁହେଁ, ବରଂ ଜଣେ ଆଇନଜୀବୀଙ୍କ କତ୍ତର୍ର୍ବ୍ୟ ଓ ଉତ୍ତରଦାୟିତ୍ୱ ସମାଜ ତଥା ଦେଶର ଉନ୍ନତି ଓ ଅଗ୍ରଗତି ପାଇଁ ପରିବ୍ୟାପ୍ତ। ମଧୁବାବୁ ଏକାଧାରରେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ୍.ଏ.। ସେ ଥିଲେ ପ୍ରଥମ ବିଲାତଯାତ୍ରୀ, ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ଅବୈତନିକ ଦାବିକରି ଇସ୍ତଫା ଦେବାରେ ଭାରତର ପ୍ରଥମ ମନ୍ତ୍ରୀ। ଛୋଟଲାଟ୍ ଏବଂ ବଡ଼ଲାଟ୍ ସଭାରେ ମଧୁବାବୁ ଥିଲେ ପ୍ରଥମ ଓଡ଼ିଆ ସଦସ୍ୟ। ଜଣେ ଆଇନଜୀବୀ, ଆଇନଜ୍ଞ ତଥା ଦେଶବତ୍ସଳ ନେତା ରୂପେ ମଧୁସୂଦନ ଦାସଙ୍କର ଭୂମିକା ପ୍ରେରଣାଦାୟକ। ତେବେ ମଧୁସୂଦନଙ୍କର ଓଡ଼ିଶା ପ୍ରତି ଅତୁଳନୀୟ ଅବଦାନ ଥିଲେ ମଧ୍ୟ ରାଷ୍ଟ୍ର ମର୍ଯ୍ୟାଦା ପାଇବାରୁ ସେ ବଞ୍ଚିିତ ହୋଇଛନ୍ତି। ସେଥିପାଇଁ ପ୍ରତ୍ୟେକ ଓଡ଼ିଆ ମଧୁବାବୁଙ୍କ ଜନ୍ମଦିବସକୁ ଓକିଲ ଦିବସରେ ସୀମିତ ନ ରଖି ରାଷ୍ଟ୍ର ଦିବସ ରୂପେ ପାଳନକଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ସୀତାଂଶୁ ମୋହନ ଦ୍ୱିବେଦୀ
ଆଇନଜୀବୀ ତଥା ଅଧ୍ୟକ୍ଷ, ରାଜ୍ୟ ଆଇନଜୀବୀ, ପରିଷଦ
ମୋ:୯୯୩୭୦୮୦୦୦୧