ବିଦ୍ୟୁତ କର୍ମଚାରୀଙ୍କୁ କଚାଡ଼ି ଦେଲା ପାଗଳ ଷଣ୍ଢ: ଖେଳିଗଲା ଆତଙ୍କ

ଦାରିଙ୍ଗବାଡି, ୯/୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଏକ ପାଗଳ ଷଣ୍ଢ ଲୋକଙ୍କୁ ଦେଖିଲେ ଗୋଡାଇ ଗୋଡାଇ ଆକ୍ରମଣ କରୁଛି। ବୁଧବାର ସକାଳ ସମୟରେ ଜଣେ ବୃଦ୍ଧ ନାଥ ମାଝୀ ସକାଳ ଭ୍ରମଣରେ ଯାଉଥିବା ବେଳେ ଷଣ୍ଢଟି ତାଙ୍କୁ ମୁଣ୍ଡରେ ଟେକି କଚାଡି ଦେଇଥିଲା। ଫଳରେ ନାଥ ମାଝିଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ଶରୀରର ଛାତି, ଗୋଡ଼ ଆଦିରେ ଗଭୀର ଆଘାତ ଲାଗିଛି। ସେହିପରି ଜହନପଲିର ଜଣେ ବିଦ୍ୟୁତ କର୍ମଚାରୀ ସମୀର ପରିଛା ତାଙ୍କ ଡ୍ୟୁଟି କରୁଥିବାବେଳେ ଷଣ୍ଢ ତାଙ୍କୁ ମଧ୍ୟ କଚାଡି ଦେଇଛି। ଫଳରେ ତାଙ୍କ ଛାତିରେ ଗଭୀର ଆଘାତ ଲାଗିଥିବା ତାଙ୍କ ଭାଇ ଶିଶିର ପରିଛା କହିଛନ୍ତି। ଉଭୟଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି।

ଖବର ଲେଖିବା ପର୍ଯ୍ୟନ୍ତ ପାଗଳ ଷଣ୍ଢକୁ କାବୁ କରାଯାଇନାହିଁ ଫାଳରେ ସେ ଉକ୍ତ ପଞ୍ଚାୟତର ଦଡିବାଡ଼ି, ଜୁଡ଼ାବାଡି, ଶିବମନ୍ଦିର, ଜଗନ୍ନାଥ ମନ୍ଦିର, କାରିପାଙ୍ଗା, ଜହନପଲି ଆଦି ଅଞ୍ଚଳରେ ଘୁରିବୁଲିବା ସହ ଲୋକଙ୍କୁ ଦେଖିଲେ ଗୋଡାଇ ଗୋଡାଇ ମାରୁଛି। ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଯିବା ସହ ବିଭିନ୍ନ ଛକରେ ଲୋକମାନେ ଠେଙ୍ଗା ଧରି ଜଗି ରହିଥିବା ଦେଖିବାକୁ ମିଳିଛି।