ମାଚାଡୋଙ୍କ ‘ଗାନ୍ଧୀ’ ପୋଷ୍ଟ ଭାଇରାଲ

ଓସ୍‌ଲୋ/କାରାକାସ୍‌,୧୧ା୧୦: ମାରିନା କୋରିନା ମାଚାଡୋ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯାଉଛନ୍ତି ବୋଲି ଘୋଷଣା କରାଯିବା ପରେ ତାଙ୍କର ଏକ ପୋଷ୍ଟ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହେବାରେ ଲାଗିଛି। ୨୦୧୦ ମେ’ ୧୦ରେ ମାଚାଡୋ ଟୁଇଟର (ବର୍ତ୍ତମାନର X ) ପୋଷ୍ଟରେ ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରି ଉଲ୍ଲେଖ କରିଥିଲେ, ଗାନ୍ଧିଜୀଙ୍କ ମତରେ ଏକ ବୃହତ୍‌ ଯୋଜନା ଆଗରେ ଏକ ବ୍ୟକ୍ତିଗତ କାର୍ଯ୍ୟ ଛୋଟ ଓ ଗୁରୁତ୍ୱହୀନ ମନେ ହୋଇପାରେ। କିନ୍ତୁ ତାହା ପଦକ୍ଷେପ ନେବା ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ପୋଷ୍ଟକୁ ନେଇ ୟୁଜର୍ସ ମାଚାଡୋଙ୍କୁ ପ୍ରଶଂସା କରୁଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଶା ବାନ୍ଧିଥିଲେ ଚଳିତବର୍ଷ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି। ଏଥିପାଇଁ ସେ ଓ ତାଙ୍କ ପ୍ରଶାସନ ଅନେକ ଉଦ୍ୟମ କରିଥିଲେ। ଇସ୍ରାଏଲ୍‌-ଗାଜା ଓ ଭାରତ-ପାକିସ୍ତାନ ଯୁଦ୍ଧ ସମେତ ମୋଟ ୮ଟି ଯୁଦ୍ଧ ବନ୍ଦ କରାଇଥିବା ଟ୍ରମ୍ପ୍‌ ବହୁବାର ଦୋହରାଇଥିଲେ। କିନ୍ତୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି। ଦେଖିବାକୁ ଗଲେ ନୋବେଲ ପୁରସ୍କାର ପାଇଁ ଟ୍ରମ୍ପ୍‌ଙ୍କ ନାମ ୨୦୨୫ ଫେବୃଆରୀ ୧ ଡେଡ୍‌ଲାଇନ୍‌ ପୂର୍ବରୁ ସୁପାରିସ କରାଯିବା କଥା। କିନ୍ତୁ ଏହା ପରେ ପାକିସ୍ତାନ ତାଙ୍କ ନାମ ସୁପାରିସ କରିଥିଲା। ପୁରସ୍କାର ନ ମିଳିବା ନେଇ ହ୍ବାଇଟ୍‌ ହାଉସ୍‌ କହିଛି, ନୋବେଲ କମିଟି ଶାନ୍ତିକୁ ନେଇ ରାଜନୀତି କରୁଛି। ତଥାପି ସେ ବିଶ୍ୱ ଶାନ୍ତି ଉଦ୍ୟମ ଜାରି ରଖିବେ।

Dharitri – The Largest & Most Trusted Odia Daily