ଚାନ୍ଦି ମୁକୁଟରେ ଶୋଭା ପାଇବେ ମା’

ବାଲେଶ୍ୱର ଅଫିସ, ୨୦।୯: ବାଲେଶ୍ୱର ନୂଆ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ହୋଇ ଆସୁଥିବା ସାର୍ବଜନୀନ ଦୁର୍ଗା ପୂଜା ଚଳିତବର୍ଷ ୮୭ବର୍ଷରେ ପହଞ୍ଚତ୍ଛି। ଚଳିତବର୍ଷ ସଂଘ ସଦସ୍ୟମାନଙ୍କ ପ୍ରଚେଷ୍ଟାରେ ମା’ ଦୁର୍ଗାଙ୍କ ସହିତ ଗଣେଶ, କାର୍ତ୍ତିକ, ସରସ୍ବତୀ ଓ ଲକ୍ଷ୍ମୀଙ୍କ ପାଇଁ ୧୨କେଜି ଓଜନର ଚାନ୍ଦିର ମୁକୁଟ ପ୍ରସ୍ତୁତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଅଧିକ ହେବ। ଚଳିତବର୍ଷ ପ୍ରଥମ କରି ଚାନ୍ଦି ମୁକୁଟରେ ଶୋଭା ପାଇବେ।
ନୂଆବଜାର ଅଞ୍ଚଳରେ ବସବାସ କରୁଥିବା ୩ ବଙ୍ଗୀୟ ଯୁବକ ମଧୁସୂଦନ ରାୟ, ଚାରୁଚନ୍ଦ୍ର ରାୟମହାଶୟ ଏବଂ ଡ. ମନମୋହନ ଚାଟାର୍ଜୀଙ୍କ ମିଳିତ ଉଦ୍ୟମରେ ୧୯୩୫ ମସିହାରେ ଆରମ୍ଭ ହୋଇଥିଲା ଏହି ପୂଜା। ପ୍ରଥମ କିଛିବର୍ଷ ଅସ୍ଥାୟୀ ମଣ୍ଡପରେ ମା’ଙ୍କ ପୂଜା ହେବା ପରେ ବଜାର ମଧ୍ୟରେ ଏକ ସ୍ଥାୟୀ ପକ୍କା ପୂଜାମଣ୍ଡପ ତିଆରି କରାଯାଇ ପୂଜା ହୋଇଆସୁଛି। ଅଦ୍ୟାବଧି ଏହି ସଂଘର ୭ଶହରୁ ଅଧିକ ସଦସ୍ୟ ଥିବାବେଳେ ୫୦ଜଣିଆ କାର୍ଯ୍ୟକାରୀ କମିଟି ପୂଜା ଆୟୋଜନ ବିଶେଷ ଦାୟିତ୍ୱ ନେଇଥାନ୍ତି। ନୂଆ ବଜାରରେ ହୋଇଆସୁଥିବା ସାର୍ବଜନୀନ ଦୁର୍ଗାପୂଜା ସହରର ଦ୍ୱିତୀୟ ପୁରାତନ ମଣ୍ଡପ ଭାବେ ପରିଚିତ। ମହାମାରୀ କରୋନା ପାଇଁ ପୂଜାର ବ୍ୟୟ ଅଟକଳ ହ୍ରାସ କରାଯାଇଥିଲା। ମାତ୍ର କୋଭିଡ୍‌ କଟକଣା ହଟିଯାଇଥିବା ବେଳେ ଚଳିତବର୍ଷ ମା’ଙ୍କ ପୂଜାରେ ପୂର୍ବ ସ୍ଥିତି ଫେରାଇ ଆଣିବାକୁ ପ୍ରଚେଷ୍ଟା ଜାରି ରଖାଯାଇ ଚଳିତବର୍ଷ ପାଖାପାଖି ୯ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ମଣ୍ଡପରେ ନୂଆ ଡିଜାଇନର ସାଜସଜ୍ଜା, ତୋରଣ ନିର୍ମାଣ ଓ ଲାଇଟ ଡେକୋରସନ ସାଙ୍ଗକୁ ପାରମ୍ପରିକ ଭସାଣି ଯାତ୍ରା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଥାଏ। ଚଳିତବର୍ଷ ଆକର୍ଷଣୀୟ ତୋରଣ, ସାଜସଜ୍ଜା, ପ୍ରସାଦସେବନ ସାଙ୍ଗକୁ ଭସାଣି ଯାତ୍ରାରେ ପାରମ୍ପରିକ ବାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି।
ପ୍ରତିବର୍ଷ ଜିଲା ସମେତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧ହଜାରରୁ ଉର୍ଦ୍ଧ୍ୱ ବ୍ରତଧାରୀ ମହାଷ୍ଟମୀ ଓ ସନ୍ଧି ପୂଜାରେ ଡାଲା ଭୋଗ ଲଗାଇଥାନ୍ତି। ତେବେ ମା’ଙ୍କ ପୂଜାର ପ୍ରଥମ ବର୍ଷରୁ ଦେବୀଙ୍କ ସହିତ ରଘୁନାଥଜୀଉ ଏହି ମଣ୍ଡପରେ ପୂଜା ପାଇଆସୁଛନ୍ତି। ପ୍ରତିବର୍ଷ ନବମୀ ପୂଜାରେ ପାଖାପାଖି ୩ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥାଏ। ପ୍ରତ୍ୟେକ ବର୍ଷ ଭସାଣି ଉତ୍ସବରେ ଡିଜେ ସାଉଣ୍ଡ ଭଳି ଶବ୍ଦ ପ୍ରଦୂଷଣ କରୁଥିବା ଯନ୍ତ୍ରକୁ ବାଦ୍‌ ଦିଆଯାଇ ପାରମ୍ପରିକ ବାଦ୍ୟ ପୁରୀର ଘଣ୍ଟୁଆ ଦଳ, ପଶ୍ଚିମବଙ୍ଗର ଢ଼ାକିବାଜା, ଆଦିବାସୀ ନୃତ୍ୟ, ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥାନ୍ତି ବୋଲି ସଂଘ ସଭାପତି ଡା. ଶାନ୍ତନୁ ଦାସ ଓ ସମ୍ପାଦକ ଶୁଭେନ୍ଦୁ ଦାସ ସୂଚନା ଦେଇଛନ୍ତି।