ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ: କାଲି ଯୋଗଦେବେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୧୭।୫(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ୧ ଘଣ୍ଟା ୧୦ ମିନିଟ୍‌ ଗସ୍ତ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୯ଟା ୫୦ ମିନିଟ୍‌ରେ ତାରାତାରିଣୀଠାରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇ ପୂର୍ବାହ୍ନ ୧୦ ଟାରେ ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ପରେ ସେଠାରେ ନୂତନ ଭାବେ ନିର୍ମିତ ପ୍ରସାଦସେବନ ହଲ୍‌, ଭିୟୁ ପଏଣ୍ଟ, ମନ୍ଦିର ପ୍ରଶାସନ ଅଫିସ କୋଠା, ଇଣ୍ଟରପ୍ରିଟେଶନ ହଲ୍‌କୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ଏହାପରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ସେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ୧୫ରୁ ଆରମ୍ଭ ହୋଇ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।