ପୁରୁଷୋତ୍ତମପୁର,୩୧।୩(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦଯାପନ ହେବାକୁ ଯାଉଛି। ଏହି ଶେଷ ପାଳିରେ ମା’ ତାରାତାରିଣୀ ଦୁଇଭଉଣୀ ବାସନ୍ତିକ ଦୂର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କୁ ଚୈତ୍ରମାସର ଏହି ଶେଷ ମଙ୍ଗଳବାରରେ ଦର୍ଶନ କରି ଭକ୍ତମାନେ ଭାବବିହ୍ବଳ ହୋଇ ନିଜ ନିଜର ଶୁଭ ମନାସି ପୁଣି ଆରବର୍ଷକୁ ଅପେକ୍ଷା କରିଛନ୍ତି।
ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମନ୍ଦିରକୁ ଛୁଟି ଆସିବା ସହ ମନସ୍କାମନା ପୂରଣ ହେବା ଲାଗି ମାନସିକଧାରୀମାନେ ନିଜ ନିଜ ଶିଶୁଙ୍କର ମୁଣ୍ଡନ କରାଇଛନ୍ତି। ଏହି ପାଳିରେ ଭୋର ସକାଳ ୨.୩୦ରୁ ମନ୍ଦିର ଦ୍ୱାର ଫିଟାଦ୍ଯାଇ ପରମ୍ପରା ଅନୁସାରେ ମଙ୍ଗଳ ଆଳତି, ଅବକାଶ, ମାଜଣା, ସିଙ୍ଗାର,ପଞ୍ଚଶୁତ୍ର ଅଭିଶେକ ଆଦି ନୀତିକାନ୍ତିରେ ବିଭିନ୍ନ ପୂଜାର୍ଚ୍ଚନା କରାଯାଇ ମା’ ତାରାତାରିଣୀ ଦୁଇ ଭଉଣୀଙ୍କୁ ବାସନ୍ତିକ ଦୂର୍ଗା ବେଶରେ ସଜ୍ଜିତ କରାଯାଇଥିଲା। ଭୋର ୪.୩୦ରେ ସାହାଣ ମେଲା ହୋଇ ମା’ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହାସହ ଭୋର ୩ଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନେ ପାହାଡ଼ ପାଦଦେଶ ମୁଣ୍ଡନ ଶାଳାରେ ନିଜ ନିଜର ଶିଶୁଙ୍କୁ ମୁଣ୍ଡନ କରାଇ କେହି ୯୯୯ ପାହାଛ ଚଢି ତ ଆଉକେହି ବସ ଓ ରୋପୱେ ମାଧ୍ୟମରେ ପାହାଡ ଉପର ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।
କିଭଳି ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଚୈତ୍ର ଯାତ୍ରା ଶେଷ ହେବ ସେ ନେଇ ଗଞ୍ଜାମ ଜିଲାପାଳ ଭି କିର୍ତ୍ତୀ ୱାସନ ଆସି ତଦାରଖ କରିବାରେ ଲାଗିଥିବାବେଳେ ଛତ୍ରପୁର ଉପଜିଲାପାଳ ଶୁଭାଷିଶ ବରାଳ, ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦକୁମାର ବେହେରା, ବିଡିଓ ଶରତ କୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଏସଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ ଉପସ୍ଥିତ ରହି ପରିଚାଳନା କରିବାରେ ଲାଗିଥିବା ବେଳେ ତହସିଲ କର୍ମଚାରୀ, ପୋଲିସ ଫୋର୍ସ ଓ ସ୍ବେଚ୍ଛାସେବୀମାନେ ସହଯୋଗ କରିବା ସହ ସେବାୟତ ସଂଘ ସଭାପତି ତପନ ରଣା,ବାପୁଜୀ ରଣାଙ୍କ ସମେତ ସମସ୍ତ ସେବାୟତମାନେ ପୂଜାର୍ଚ୍ଚନା କରିବାରେ ଲାଗିପଡିଛନ୍ତି।