ଛତ୍ରପୁର,୨୦ା୩(ଦିଲ୍ଲୀପ ସାମଲ): ଚଳିତ ବର୍ଷ ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଯାତ୍ରା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରତି ଦୁଇ ବର୍ଷକୁ ଥରେ ଆୟୋଜନ ହେଉଥିବା ମା’ ରାମାୟାଣାମ୍ମାଙ୍କ ଠାକୁରାଣୀଙ୍କ ଯାତ୍ରା ପାଇଁ ଏବେଠୁ ଚଳଚଞ୍ଚଳ ହୋଇପଡ଼ିଲାଣି ସହର। ଗଞ୍ଜାମ ଜିଲାର ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଯାତ୍ରା ଭଳି ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରାର ସ୍ବତନ୍ତ୍ରତା ରହିଛି। ପ୍ରତି ଦୁଇ ବର୍ଷକୁ ଥରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ଲାଗି ସହର ଏବେଠୁ ଉତ୍ସବ ମୁଖର ହୋଇପଡ଼ିଲାଣି। ଆସନ୍ତା ମେ’ ୪ରୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ। ଏନେଇ ଆଜି ଅର୍ଥାତ୍ ଶୁକ୍ରବାର ଯାତ୍ରାକମିଟି ପକ୍ଷରୁ ମା’ଙ୍କ ମନ୍ଦିରରୁ ଏକ ପଟୁଆର ବାହାରି ଜିଲା ପ୍ରଶାସନର ଅନୁମତି ମାଗିବା ନିମନ୍ତେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ଭେଟି ସହଯୋଗ କାମନା କରିଥିଲେ।
ଯାତ୍ରା କମିଟିର ମ୍ୟାନେଜର ସିଏଚ୍. ଦୟାନନ୍ଦ ରେଡ୍ଡୀ ଓ ଆସିଷ୍ଟାଣ୍ଡ ମ୍ୟାନେଜର ଏମ୍. ସମରେନ୍ଦ୍ର ସେନାପତି ଜିଲାପାଳଙ୍କୁ ଉତ୍ତରୀୟ ପକାଇ ମା’ଙ୍କ ଫୁଲ ସିନ୍ଦୂର ଦେଇ ନିମନ୍ତ୍ରଣ କରିଥିଲେ। ଏହା ସହିତ କମିଟି ପକ୍ଷରୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ଏନ୍ଏସି ଉପାଧ୍ୟକ୍ଷ ଜି. ପାପା ରାଓ ଓ ସମାଜସେବୀ ଦୀପକ ମୁଦୁଲିଙ୍କ ସହିତ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା। ଏହି ଯାତ୍ରାରେ ବିଭିନ୍ନ ମେଢ, ସାଂସ୍କୃତିକ କାର୍ଯ୍ୟକ୍ରମ, ରାମଦୋଳି, ମୀନାବଜାର, ମା’ଙ୍କ ସାହି ପରିକ୍ରମା ଆଦି କାର୍ଯ୍ୟକ୍ରମ ରହିଛି। ଯାହାଫଳରେ ପ୍ରବଳ ଭକ୍ତଙ୍କ ଆଗମନ ରହିବ। ଏହାକୁ ଦୃଷ୍ଟିରେ ରଖି କିପରି ସୁରୁଖୁରରେ ଶେଷ ହେବ ସେନେଇ ଜିଲାପାଳଙ୍କ ସହିତ ବିଧାୟକ, ଉପାଧ୍ୟକ୍ଷ ଏବଂ ଯାତ୍ରା କମିଟି ପକ୍ଷରୁ ଆଲୋଚନା କରାଯାଇଥିଲା।
ପାରମ୍ପରିକ ରୀତିନୀତି ଅନୁସାରେ ମା’ ଶାଶୁଘରୁ ମେ’ ୪ରୁ ବାହାରି ନିଜ ବାପଘରକୁ ଯିବେ ସେଠାରେ ମା’ଙ୍କୁ ଅସ୍ଥାୟୀ ମଣ୍ଡପ ତଥା ନିଜ ବାପଘରକୁ ପାଛୋଟି ନିଆଯିବାର ପରମ୍ପରା ରହିଛି। ସେଠାରେ ମା’ ଅସ୍ଥାୟୀ ମଣ୍ଡପରେ ପୂଜା ପାଇବେ। ମା’ଙ୍କୁ ଅସ୍ଥାୟୀ ମଣ୍ଡପରେ ଦର୍ଶନ କରିବା ଲାଗି ଛତ୍ରପୁର ଏବଂ ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ମନ୍ଦିର ପରିସରରେ ମା’ଙ୍କୁ ଦର୍ଶନ କରିବେ। ଚଳିତ ବର୍ଷ ଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ଚେଷ୍ଟା କରାଯାଉଥିବା ମ୍ୟାନେଜର ସିଏଚ୍. ଦୟାନନ୍ଦ ରେଡ୍ଡୀ କହିଛନ୍ତି। ଯାତ୍ରାକୁ ସୁରୁଖୁରରେ ସମ୍ପାଦନ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି ସେ। ଚଳିତ ବର୍ଷ ସୁନ୍ଦର ଆଲୋକ ସଜ୍ଜା ତୋରଣ ସାଙ୍ଗକୁ ୪୦ ଫୁଟର ୪ଟି ମୁଖ୍ୟ ଗେଟ୍ ଶ୍ରଦ୍ଧାଳୁଙ୍କୁ ଆକର୍ଷଣ କରିବ। ବଡ଼ବଡ଼ କଳାକୁଞ୍ଜ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ। ଏହା ସହ ବିଭିନ୍ନ ଜିଲା ଏବଂ ଜିଲା ବାହାରୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଆନ୍ଧ୍ରା କାଳୀ, କାଟାପ୍ପା, ସିଂ ନାଚ ନାଚ ଭଳି ବଡ଼ବଡ଼ ପଟୁଆର ଆୟୋଜନ ହେବ। ରାମ ଦୋଳି, ମୀନାବଜାରର ମଜା ନେବେ ଲୋକେ।