ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଙ୍ଗଳବାର ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରଦ୍ଧାଳୁଙ୍କ ଭିନ୍ନ ରୂପ। ଭୂତ ପ୍ରେତଙ୍କ ବେଶ ଧରି ନାଚିଲେ ଶ୍ରଦ୍ଧାଳୁ।
ମହାସମାରୋହରେ ଜେନାଖାଳରେ ସତନ୍ତ୍ର ଗୁପ୍ତ ରୀତିନୀତି ପୂଜାର୍ଚ୍ଚନା ପରେ ଭୋର ୫ଟା ୧୫ରେ ପୂଜକ ଓ ବାହୁକ ମାନେ ମା’ଙ୍କ ବିଜୟ ପ୍ରତିମା ଛତରକୁ ନେଇଁ ମନ୍ଦିର ଅଭିମୁଖେ ବାହାରିଥିଲେ। ଏହି ଅବସରରେ ଜେନାଖାଲ ରୁ ମା’ଙ୍କ ମନ୍ଦିର ପ୍ରର୍ଯ୍ୟନ୍ତ ୩ କିମି ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏଥିରେ ଜିଲା ତଥା ପଡୋଶୀ ରାଜ୍ୟର ଭକ୍ତ ମଧ୍ୟ ସାମିଲ ହୋଇଥିଲେ। ସେହିପରି ମା’ଙ୍କ ଛତର ଯାଉଥିବା ସମୟରେ ଅନେକ ମାନସିକଧାରୀ ମାନସିକ ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀ ବଳି ଦେଇଥିଲେ।
ମଧ୍ୟାହ୍ନ ୧୧ ଟା ୪୫ ରେ ମା’ଙ୍କ ଛତର ମନ୍ଦିରରେ ପହଞ୍ଚି ଥିଲା। ଏହି ସମୟରେ କଳାହାଣ୍ଡି ମହାରାଜ ଛତ୍ର ବାହୁକ ଠାରୁ ଛତରକୁ ନିଜେ ଗ୍ରହଣ କରି ମନ୍ଦିରର ଗର୍ଭଗୃହକୁ ବୋହି ନେଇଥିଲେ। ମା’ଙ୍କ ଛତର ଯାତ୍ରାରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସମେତ ୨୨ଟି ଘଣ୍ଟ ଦଳ ଅଂଶଗ୍ରହଣ କରିଥିଲେ। ଜୟ ମା’ମାଣିକେଶରୀ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଏପଟେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ସହ ସୁରକ୍ଷା ବ୍ୟବସ୍ଥା ପାଇଁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।