ମା’ ମାଣିକେଶ୍ବରୀ, ଭୈରବ ଦେବଙ୍କ ଗଦିଆବସା ପର୍ବ: ୧୨ରେ ବାଲିଯାତ୍ରା

ଥୁଆମୂଳ ରାମପୁର,୧୦।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମୂଳପୀଠ ଥୁଆମୂଳ ରାମପୁରଠାରେ ମା’ ମାଣିକେଶ୍ବରୀ ଓ ବାବା ଅଗ୍ନିଭୈରବ ଦେବଙ୍କ ଗଦିଆ ବସା ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେବୀ ଦେବଙ୍କ କାଳିସୀ ଦେହରେ ସବାର ହେବା ପରେ ପାରମ୍ପରିକ ବାଜା ସହ ନଗର ପରିକ୍ରମା କରିଥିଲେ। ସାରେ ଭୈରବ ଦେବଙ୍କ ପୀଠ ସମ୍ମୁଖରେ ଉଭୟ ଦେବଦେବୀଙ୍କ କାଳିସୀ ପହଞ୍ଚିବା ପରେ ଗଦିଆ ବସା ପର୍ବ ଅନୁଷ୍ଠିତ ହୋଇଥିଲା। ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ଦାଦଶୀ ତିଥିରେ ବାଲିଯାତ୍ରା ପାଇଁ ବାଲି ସଂଗ୍ରହ ହୋଇଥିବା ବେଳେ ସୋମବାର ଏହାର ଦ୍ୱିତୀୟ ପର୍ବ ଗଡିଆ ବସା ହୋଇଥିଲା। ସୋମବାର ସକାଳୁ ଦେବୀଙ୍କ ମୁଖ୍ୟ ପୂଜକ ତାପସ କୁମାର ରାୟଗୁରୁ ଦେବୀଙ୍କ ବିଭିନ୍ନ ଉପଚାରରେ ପୂଜା କରିଥିଲେ। ପରେ ଅନ୍ୟ ପୂଜକମାନେ ମଧ୍ୟ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଅପରାହ୍ନରେ ଦେବୀଙ୍କ କାଳିସୀ ଶରତ ବୁଝରି ଓ ଭୈରବ ଦେବଙ୍କ କାଳିସୀ ଲାଲ ପରିଛାଙ୍କ ଦେହରେ ସବାର ହେବା ପରେ ନଗର ପରିକ୍ରମା କରି ଭକ୍ତଙ୍କ ଆଗରେ ନିଜର ମହିମା ପ୍ରଦର୍ଶନ କରିଥିଲେ। ଦୁଇ କାଳିସୀ ଭୈରବ ଦେବଙ୍କ ପୀଠ ସମ୍ମୁଖରେ ପୂର୍ବରୁ ପ୍ରସ୍ତୁତ ମାଟି ହାଣ୍ଡି ଗଡିଆରେ ବିରାଜମାନ ହୋଇ ଭକ୍ତଙ୍କ ନିକଟରେ ପରିଚୟ ଦେଇଥିଲେ। ଆସନ୍ତା ୧୨ରେ ବାଲିଯାତ୍ରା ବା ବାବା ଭୈରବ ଦେବଙ୍କ ଅଗ୍ନି ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି l