ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା ‘ ବାଙ୍କେଶ୍ୱରୀ ଙ୍କ ଦୋଳ ଯାତ୍ରା ନିମନ୍ତେ ମଙ୍ଗଳବାର ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ ସ୍ଥିତ ମା ‘ ଙ୍କ ମନ୍ଦିର ପରିସରରେ ଆୟୋଜିତ ସଭାରେ ଯାତ୍ରା କମିଟି ସଭାପତି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥଲେ। ଆସନ୍ତା ଫାଲଗୁନ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ ୨ ତାରିଖ ଠାରୁ ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ତିଥି ୪ ତାରିଖ ୩ ଦିନବ୍ୟାପୀ ଏହି ଯାତ୍ରା ମହୋତ୍ସବ ପ୍ରତିବର୍ଷ ଭଳି ଚଳିତବର୍ଷ ଖୁବ୍ ଧୁମ୍ ଧାମ ରେ କରାଯିବା ପାଇଁ ସଭାରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିଲା।
ଯାତ୍ରା ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଓ ସ୍ଵେଚ୍ଛାସେବୀ ମାନଙ୍କୁ ମୁତୟନ କରାଯିବା ନିମନ୍ତେ ସବିଶେଷ ଆଲୋଚନା କରାଯାଇଥିଲା।ଶ୍ରଦ୍ଧାଳୁ ମାନେ ଯେଭଳି ମା ‘ ଙ୍କୁ ସୁବିଧାରେ ଦର୍ଶନ କରିପାରିବେ ସେ ନେଇ ବାରିକେଟ କରାଯିବା ସହ ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ଯାତ୍ରା କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ ପାଇଁ ସଭାରେ ଆଲୋଚନା କରାଯାଇଥିଲା।ସଭାରେ ଯାତ୍ରା କମିଟି ଉପସଭାପତି ତଥା ପୂର୍ବତନ ସରପଞ୍ଚ କେ.ସଞ୍ଜୀବ କୁମାର ରେଡ୍ଡୀ,ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ,କୋଷାଧ୍ୟକ୍ଷ ସୁଦାମ ଦୋରା,ବଡ଼ଡୁମ୍ବୁଳା ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳୀ ଜାନି,ସମିତିସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ,କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ଜାନି,ରମେଶ ଗୌଡ଼,ପୂର୍ଣ୍ଣଚନ୍ଦ୍ର ପାତ୍ର, ସୀମାଞ୍ଚଳ ରେଡ୍ଡୀ, ତ୍ରିପତି ପାତ୍ର,ରଙ୍କ ନାୟକ ଙ୍କ ସମେତ କରପଡ଼ା,ବଡ଼ଡୁମ୍ବୁଳା, ବି. ତୁରୁବୁଡ଼ି, ଗୋକର୍ଣ୍ଣପୁର,ବାସୁଦେବପୁର, କଇଠଡ଼ା, ପଦ୍ମନାଭପୁର, ଜକର, ବମକେଇ ପ୍ରଭୃତି ବିଭିନ୍ନ ପଞ୍ଚାୟତ ଅଧିନ ଗାଁ ମାନଙ୍କରୁ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ସଭାରେ ଉପସ୍ଥିତ ରହି ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।