ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା ଉତ୍ତରପ୍ରଦେଶ ଲକ୍ଷ୍ନୌର ଇନ୍ଦିରା ନଗର ଅଞ୍ଚଳରେ ଘଟିଛି। ସୂଚନା ପାଇବା ପରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନାକୁ ନେଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଇନ୍ଦିରା ନଗର ଅଞ୍ଚଳର ବାସିନ୍ଦା ରାହୁଲ ତାଙ୍କ ପତ୍ନୀ ତନୁ ସିଂଙ୍କ ସହିତ ହସଖୁସିରେ ରହୁଥିଲେ। ରାହୁଲ ତାଙ୍କ ସ୍ତ୍ରୀ ତନୁଙ୍କୁ ସୀତାପୁରର ଜଣେ ସମ୍ପର୍କୀୟଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ରାହୁଲ ମଜା କରି ସ୍ତ୍ରୀ ତନୁଙ୍କୁ “ତୁମେ ଜଣେ ମାଙ୍କଡ଼ ବୋଲି କହିଥିଲେ। ତନୁ ରାହୁଲଙ୍କ କଥାରେ କ୍ଷୁବ୍ଧ ହୋଇଯାଇଥିଲେ ଏବଂ ଘରକୁ ଆସିବା ପରେ ସେ ଆତ୍ମହତ୍ୟା କରିଦେଇଥିଲେ।
ରିପୋର୍ଟ ଅନୁସାରେ, ତନୁ ମଡେଲିଂ ପ୍ରତି ଆଗ୍ରହୀ ଥିଲେ। କିନ୍ତୁ ସ୍ବାମୀଙ୍କ ମଜାକ୍ କଥାକୁ ଅତ୍ୟନ୍ତ ଗମ୍ଭୀର ସହ ନେଇ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଯିବେ ବୋଲି କେହି ବିଶ୍ୱାସ କରିନଥିଲେ । ବହୁତ ସମୟ ପର୍ଯ୍ୟନ୍ତ କୋଠରୀରୁ କୌଣସି ଶବ୍ଦ ନ ଶୁଣିବା ପରେ, ପରିବାର ସଦସ୍ୟମାନେ ଝରକା ଦେଇ ଚାହିଁଲା ବେଳକୁ ତନୁଙ୍କ ମୃତଦେହ ଝୁଲୁଛି। ଇନ୍ସପେକ୍ଟର ଇନ୍ଦିରା ନଗର ସୁନୀଲ କୁମାର ତିୱାରୀଙ୍କ ଅନୁଯାୟୀ, ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି।